ଥମୁନି ମଣ୍ଡି ତାତି: ବିଧାନସଭାରେ ଅଚଳାବସ୍ଥା ଜାରି

161

ଭୁବନେଶ୍ୱର: ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ତମାମ ଗୃହ ଅଚଳ ରହିଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ହଟ୍ଟଗୋଳ ସମୟରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ନାଉରୀ ନାୟକ ବିଧାନସଭା ସଚିବଙ୍କ ଆସନରେ ଠିଆ ହୋଇ ପୋଡିୟମକୁ ବାଡେଇବା, ଫାଇବର ଗ୍ଲାସ୍କୁ ଟାଣିବା ଆଦି ଦୃଶ୍ୟମାନ ପରିଲକ୍ଷିତ ହୋଇଥିଲା ।

ଏହା ବ୍ୟତୀତ କଂଗ୍ରେସ ଦଳର କିଛି ସଦସ୍ୟ ମଣ୍ଡି ସମସ୍ୟାକୁ ନେଇ ‘ଭୋକରେ ମରନ୍ତି ଚାଷୀ ଏ ଦେଶେ,କିଏ ବି ପିଉଛି ବିଷ, ମୋଦିଙ୍କର ନାହିଁ ଅବଶୋଷ, ଅମ୍ବାନୀ ଆଦାନୀ ସମ୍ପତି ବଢିଲେ ତାଙ୍କର ଖିଲି ଖିଲି ହସ, ଧାନ ପଡିଅଛି ମଣ୍ଡିରେ,ଚାଷୀ କାନ୍ଦୁ ଅଛି ପିଣ୍ଢାରେ, ଲେଖାଥିବା ବ୍ୟାନର ପ୍ରଦର୍ଶନ କରିବା ବେଳେ ଶାସକ ଦଳ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପଳାଇଆସି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ହୋ ହାଲ୍ଲା କରିଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ ଆରମ୍ଭ ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହକୁ ମଧ୍ୟକୁ ଆସି ଚାଷୀଙ୍କ ଠାରୁ ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ହୋହାଲ୍ଲା କରିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି କହି ବିଜେଡି ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ ।

ଏହି ହଟ୍ଟଗୋଳରୁ ନିବୃତ ରହିବା ପାଇଁ ବାଚସ୍ପତି ୧୦ଟା ୩୧ରୁ ୧୧ ଟା ୩୦, ୧୧ ଟା ୩୧ ରୁ ୧୧ଟା ୪୬ ଏବଂ ୧୧ ଟା ୪୮ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଫଳରେ ପ୍ରଶ୍ନୋତର , ଶୂନ୍ୟକାଳ ଓ ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଘଟଣା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ସମ୍ପାଦିତ ହୋଇପାରିନଥିଲା । ଅପରାହ୍ନ ୪ଟାରେ ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା କ୍ଷଣି ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜ ଦାବିକୁ ଦୋହରାଇଥିଲେ ।

ବାଚସ୍ପତି ଡ.ପାତ୍ର କହିଥିଲେ ଯେ ଆଜି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହି ଖର୍ଚ୍ଚ ଦାବି ଆଲୋଚନା କରିବାର ସୁଯୋଗ ଦିଅନ୍ତୁ । ସଭ୍ୟମାନେ ଏହା ଉପରେ ଗରୁତ୍ୱ ନଦେଇ ହୋହାଲ୍ଲା ଓ ନାରାବାଜି ଜାରି ରଖିଥିଲେ । ବାଚସ୍ପତି ଗୃହକୁ ୪ ଟା ୧ ରୁ ୪ ଟା ୩୧, ୪ଟା ୩୩ ରୁ ୫ ଟା ୦୩ ଓ ୫ ଟା ୦୩ ରୁ ୫ ଟା ୧୮ ଯାଏଁ ମୁଲତବୀ ରଖିଥିଲେ । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । ଆଜି ହେବାକୁ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଗିଲୋଟିନ୍ ମାଧ୍ୟମରେ ପାରିତ ହେବ ବୋଲି ବାଚସ୍ପତି କହିଥିଲେ । ଏହାପରେ ୫ଟା ୧୯ରେ ବାଚସ୍ପତି ଗୃହ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ଯାଏଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.