ନୂଆ ପରମ୍ପରା ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ : ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ରେ ବିରୋଧୀଙ୍କ ସବୁ ଅଙ୍କ ଫେଲ୍

136

-ଓଡ଼ିଶା ଇତିହାସରେ ରୋଚକ ଦୃଶ୍ୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମଣ୍ଡି ସମସ୍ୟା ଓ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଆସି ଧାରଣା ପ୍ରତ୍ୟାହୃତ କରି ଆଲୋଚନା କରିବା ପାଇଁ ଡାକିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍ରେ ବିରୋଧୀ ଚିତ୍ପଟାଙ୍ଗ ମାରିଛନ୍ତି ।

ପୁଣି ନବୀନ ଯେ ଖାଲି ରାଜନୀତି ନୁହେଁ, କୂଟନୀତିରେ ଯେ ମାହିର ଏହା ପ୍ରମାଣ କରିଦେଖାଇଛନ୍ତି । ଗଣତନ୍ତ୍ର ଅଛି, ମାନେ ବିରୋଧ ଅଛି । ବିରୋଧ ଯଦି ଅଛି, ତେବେ ବିରୋଧୀ ରହିବେ । ବିରୋଧର ସ୍ୱରକୁ ସ୍ୱାଗତ କରିବା ଅସଲ ଗଣତନ୍ତ୍ର । ଯାହା ଆଜି ଓଡ଼ିଶାରେ ଦେଖିବାକୁ ମିଳିଛି ।

ଚାଷୀଙ୍କୁ ନେଇ ଚାଲିଥିବା ରାଜନୀତି କାରଣରୁ ଓଡ଼ିଶା ଇତିହାସରେ ରୋଚକ ଦୃଶ୍ୟ ପାଖାପାଖି ୬ଦିନ ହେବ ବନ୍ଦ ରହିଛି ଓଡ଼ିଶା ବିଧାନସଭା । ଧାନକୁ ନେଇ ଧରାପରା ଭିତରେ ବଳି ପଡ଼ିଛି ଗୃହ କାର୍ଯ୍ୟ । ନିଜକୁ ଚାଷୀଙ୍କ ଦରଦି ଦେଖାଇବାକୁ ଯାଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରଠାରୁ ରାଜନୀତି ଜୋର ଧରିଛି । ସେହି ରାଜନୀତି କ୍ରମରେ ଗୁରୁବାର ଦିନ ବିଜେପି ବିଧାୟକ ବିଧାନସଭା ଚଳାଇବା ଦାବିରେ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ ।

କିନ୍ତୁ ଲକ୍ଷ୍ୟ ଥିଲା ରାଜନୀତି । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବିଜେପି ନେତା ହଠାତ୍ ଧାରଣାରେ ବସିଗଲେ । କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କଲେ ତାହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ । ବାହାରେ ବିରୋଧୀ ବସିଥିବା ବେଳେ ସେ ଚାହିଁଥିଲେ ଘର ଭିତରେ ରହି ପାରିଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେମିତି କରିନଥିଲେ ।

ସମୟ ଥିଲା ଦିନ ସାଢେ ଗୋଟାଏ । ବିଜେପି ନେତାଙ୍କ ଧାରଣା ଆରମ୍ଭ ହୋଇସାରିଥାଏ । ବିଜେଡି ନେତା ଧାରଣାରୁ ଉଠି ନବୀନ ନିବାସ ଭିତରକୁ ଯିବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବିଜେପି ନେତା ନଛୋଡ଼ବନ୍ଦା । ଏମିତିରେ କିନ୍ତୁ ବିରୋଧୀଙ୍କ ଜିଦ୍ ଦେଖି ବିଚଳିତ ହୋଇପଡ଼ି ନଥିଲେ ନବୀନ । ବରଂ ବିରୋଧୀଙ୍କୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଖୋଦ୍ ଖରାରେ ଚାଲି ଚାଲି ନବୀନ ନିବାସ ବାହାରକୁ ଆସିଥିଲେ ।

ବିରୋଧୀ ବିଜେପି ବିଧାୟକଙ୍କୁ ସସମ୍ମାନେ ନବୀନ ନିବାସକୁ ଡାକି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ବିରୋଧୀଙ୍କ ରାଜନୀତିକ ରଣନୀତିକୁ ବିଫଳ କରି ଦେଇଥିଲା । ଅନ୍ୟ ଉପାୟ
ନପାଇ ବିରୋଧୀ ନବୀନ ନିବାସ ଭିତରକୁ ଯିବାକୁ ବାଧ୍ୟ ହୋଇଥିଲେ । ଓଡ଼ିଶା ରାଜନୀତିକ ଇତିହାସରେ ହୁଏତ ପ୍ରଥମଥର ପାଇଁ ଏମିତି ଘଟିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ବାହାରକୁ ଆସି ବିରୋଧୀଙ୍କୁ ଘର ଭିତରକୁ ଡାକି ନେଇଛନ୍ତି । ଏମିତି କରି ମୁଖ୍ୟମନ୍ତ୍ରୀ ଗୋଟିଏ ସନ୍ଦେଶ ଦେଇଛନ୍ତି ତାହା ହେଉଛି ରାଜନୀତିରେ ବିରୋଧ ରହିବ କିନ୍ତୁ ଏହା ସହ ବିରୋଧୀଙ୍କୁ ସମ୍ମାନ ଦେବା ମଧ୍ୟ ଜରୁରୀ ।

Leave A Reply

Your email address will not be published.