ପୁରୀ: ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ସର୍କିଟ୍ ହାଉସକୁ ଗସ୍ତ କରିବେ । ସେଠାରେ ସ୍ୱତନ୍ତ୍ର ଭାବେ ସଜ୍ଜିତ ହୋଇଥିବା ମହୋଦଧି ପ୍ରକୋଷ୍ଠର ୧୧୬ ନଂ ରୁମ୍ ରେ ସ୍ୱଳ୍ପ ସମୟ ପାଇଁ ଅବସ୍ଥାନ କରିବେ । ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବଡ଼ଦାଣ୍ଡ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ଯିବେ । ସେଠାରେ ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ, କୌଳିକ ପଣ୍ଡା, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସିଂହଦ୍ୱାରରୁ ବାଇଶି ପାହାଚ ଦେଇ ଗରୁଡ଼ ସ୍ତମ୍ଭ ଦେଇ ଗର୍ଭ ଗୃହରେ ପ୍ରବେଶ କରିବେ । ରତ୍ନ ସିଂହାସନ ତଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେଠାରୁ ବେହରଣ ଦ୍ୱାର ଦେଇ ମୁକ୍ତିମଣ୍ଡପ ପାଶ୍ୱର୍ଦେଇ ମା ବିମଳାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବେ । ସେଠାରୁ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ କୌଳିକ ପଣ୍ଡାଙ୍କ ଖାତାରେ ଦସ୍ତଖତ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିରରେ ଦର୍ଶନ କରିବା ପରେ ସିଂହଦ୍ୱାର ଦେଇ ସର୍କିଟ୍ ହାଉସ୍ ପ୍ରତ୍ୟାବର୍ତନ କରିବେ । ସେଠାରୁ କାର୍ ଯୋଗେ ହେଲିପ୍ୟାଡକୁ ଯାଇ ସେଠାରୁ ବିମାନ ଯୋଗେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏସପି / କମାଣ୍ଡାଂଟ ର୍ୟାଙ୍କର ୫ ଜଣ ଅଫିସର ସୁରକ୍ଷା ଦାୟୀତ୍ୱରେ ରହିବେ । ଏଥି ସହିତ ଆଡସିନାଲ ଏସପି ର୍ୟାଙ୍କର ୮ ଜଣ ଅଧିକାରୀ, ୨୫୦ ଜଣ ପୋଲିସ ଅଧିକାରୀ ଓ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ନେଇ ଏସପି ଡଃ. କେ.ବି. ସିଂହ ସୂଚନା ଦେଇଛନ୍ତି ।