ଗାନ୍ଧୀମୟ ଓଡ଼ିଶା : ସମ୍ବିଧାନରେ ସ୍ଥାନ ପାଉ ଅହିଂସା

147

କଟକ :ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ଆଜିବିଧାନସଭାରେ ସ୍ୱତନ୍ତ୍ର ଆଲୋଚନାହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି ଜାତିରପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା । ଗାନ୍ଧିଜୀ ଓଡ଼ିଶାର ଅନେକ ସ୍ଥାନରେ ପଦଯାତ୍ରା କରିଥିଲେ । ଗାନ୍ଧିଜୀ କଟକରେ ସଭା କରିଥିବାରୁ ସେଠାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସହ ପଦଯାତ୍ରା କରାଯାଇଥିଲା । ଯେଉଁଥିରେ ବାଚସ୍ପତିଙ୍କ ସହ ବିଭିନ୍ନ ଦଳର ନେତା,କର୍ମୀ,ଗାନ୍ଧିବାଦୀ ଲୋକେ ଯୋଗଦେଇ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ସ୍ମୃତିଚାରଣ କରିଥିଲେ ।

ସେହି ସ୍ଥାନ,ସେହି ରାସ୍ତା,ଏବଂ ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ପୁଣି ଚଳଚଞ୍ଚଳ ହୋଇଛି କଟକ । ମୁଣ୍ଡରେ ଗାନ୍ଧି ଟୋପି ପିନ୍ଧି ଗାନ୍ଧିଙ୍କ ଆଦର୍ଶକୁ ବ୍ରତ କରି ରାସ୍ତାକୁ ଓହ୍ଲାଇଛନ୍ତି ଏମାନେ । ଏଠାରେ ନାହିଁ ଶାସକ ବିରୋଧୀର ମନୋମାଳିନ୍ୟ । ବରଂ ଜାତିର ପିତାଙ୍କ ପ୍ରତି ସମସ୍ତଙ୍କ ମନରେ ସମର୍ପଣଭାବ ।

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷକୁ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଏମିତି କିଛି କାର୍ଯ୍ୟକ୍ରମ ପାଳନ ହୋଇଥିଲା । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ୮ଥର ଓଡ଼ିଶା ଗସ୍ତରେ ଆସିଥିଲେ । ୧୯୨୧ ମାର୍ଚ୍ଚ ୨୩ରେ ପ୍ରଥମ ଗସ୍ତରେ ଗାନ୍ଧିଜୀ କଟକ ରେଳଷ୍ଟେସନରୁ ଓହ୍ଲାଇ ସଭାସ୍ଥଳକୁ ପଦଯାତ୍ରା କରିଥିଲେ ।ସେହି ପଦଯାତ୍ରାକୁ ପଦଯାତ୍ରା ମାଧ୍ୟମରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହାର ନେତୃତ୍ୱ ନେଇଥିଲେ । କାଠଯୋଡ଼ି ପଠାରେ ସେଦିନ ଗାନ୍ଧିଜୀ ଓଡ଼ିଶାର ଜନସମୁଦାୟଙ୍କୁ ସତ୍ୟ ଅହିଂସାର ମନ୍ତ୍ର ଦେଇଥିଲେ । ଜାତୀୟ ମୁକ୍ତି ସଂଗ୍ରାମରେ ସାମିଲ ହେବା ଲାଗି ଆହ୍ୱାନ ଦେଇଥିଲେ ।

ସେହି ସଭାର ସ୍ମୃତିରେ ବେଲ୍ଭ୍ୟୁ ନିକଟରେ ବ୍ରୋଞ୍ଜ ମୂର୍ତ୍ତିର ଉନ୍ମୋଚନ କରାଯାଇଛି । ଏଣେ ବିଧାନସଭାରେ ମଧ୍ୟ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରାଯାଇଛି । ଗାନ୍ଧିଜୀଙ୍କ ବିଚାର ହେଉଛି ମାନବଜାତି ପାଇଁ ସବୁଠୁ ବଡ଼ ଅବଦାନ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂରଣ ଅବସରରେ ଆଜି ବିଧାନସଭାରେ ଏନେଇ ହୋଇଥିବା ସ୍ୱତନ୍ତ୍ର ଆଲୋଚନାରେ ବ୍ୟକ୍ତବ୍ୟ ରଖି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ସରକାର ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସଂଗ୍ରହାଳୟରେ ପ୍ରଣାମ ବାପୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାସହ ଏଠାରେ ରାମଧୂନ ଅଡିଓ ସିଷ୍ଟମ୍ର ଉଦ୍ଘାଟନ କରାଯାଇଛି । ଓଡ଼ିଶାର ଯେଉଁସବୁ ଗାଁକୁ ଗାନ୍ଧିଜୀ ଯାଇଥିଲେ ସେସବୁ ଗାଁ ଗହଳିରେ ଗାନ୍ଧିଜୀଙ୍କ ନାଟକ ପ୍ରଦର୍ଶିତ କରାଯିବ । ଓଡିଶା ସହିତ ଗାନ୍ଧୀଜୀଙ୍କର କିଭଳି ନିବିଡତା ଥିଲା, କିଛି ପ୍ରାମାଣିକତା ସହ ଏହାକୁ ଲୋକଲୋଚନକୁ ଆଣିବାକୁ ଗାନ୍ଧୀ ସ୍ମାରକନିଧି କଟକ ପକ୍ଷରୁ ପ୍ରୟାସ କରାଯାଇଛି । କଟକ ଜେଲ ରୋଡଠାରେ ଥିବା ସଂଗ୍ରାମୀ ସ୍ମାରକୀ ପଡିଆରେ ଖୋଲିଛି ବାପୁଙ୍କ ଜୀବନୀ ସମ୍ପର୍କିତ ଏକ ପ୍ରଦର୍ଶନୀ ।

Leave A Reply

Your email address will not be published.