ରାୟଗଡ଼ା: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ । ରାୟଗଡ଼ା ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ମାଓ ସଂଙ୍ଗଠନରେ ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ ଶୋଷଣ ଓ ଅତ୍ୟାଚାର ବଢୁଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ଦୁଇ ମାଓବାଦୀ ପ୍ରକାଶ କରିଛନ୍ତି ।
ରାୟଗଡା ଜିଲ୍ଲା ପୁଲିସ ନିକଟରେ ଆଜି ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଏବଂ ଲଛୁ ମାଡକା।ସୂଚନାଯୋଗ୍ୟ କି ମଙ୍କୁ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଅନ୍ତର୍ଗତ କାରେମାର୍କା ଗ୍ରାମରେ ହୋଇଥିବା ବେଳେ ଲଛୁ ଘର ଆଡିସମେଟ ଗ୍ରାମରେ। ଲଛୁ ଉପରେ ୧ ଲକ୍ଷ ଟଙ୍କା ଓ ମଙ୍କୁ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓଡିଶା ପୁଲିସ ଘୋଷଣା କରିଥିଲା ବେଳେ ଉଭୟ ଆଜି ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ମାଓବାଦୀ ସଙ୍ଗଠନର କ୍ୟାଡରମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ଯୋଗୁଁ ଉଭୟ ମାଓ ସଙ୍ଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି । ଏହି ଦୁଇ ଜଣ ରାୟଗଡା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ବେଶ୍ ସକ୍ରିୟ ଥିଲେ। ମଙ୍କୁ ଓ ଲଛୁ ଏହି ତିନି ଜିଲ୍ଲାର ବିଭିନ୍ନ ମାଓ ହିଂସାକାଣ୍ଡରେ ସାମିଲ ରହିଥିବା ପୁଲିସ ସୂଚନା ଦେଇଛି । ଏଥିସହ ଟପ ମାଓବାଦୀ ନେତା ନିଖିଲ ଓ ବଣ୍ଟିଙ୍କ ସହ ମିଶି ବିଭିନ୍ନ ହିଂସା କାର୍ଯ୍ୟ କରୁଥିଲେ । ପୁଲିସର ଲଗାତାର କମ୍ବିଂ ସାଙ୍ଗକୁ ମାଓ ସଙ୍ଗଠନରେ ଖାଦ୍ୟର ଘୋର ଅସୁବିଧା ରହିବା ଯୋଗୁଁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଉଭୟେ ପ୍ରକାଶ କରିଛନ୍ତି ।
ମଙ୍କୁ ଓ ଲଛୁ ହିଂସାକାଣ୍ଡ ସୃଷ୍ଟି ବେଳେ ଅତି ଆଧୁନିକ ଏସଏଲଆର ବନ୍ଧୁକ ଚଳାଉଥିଲେ । ମଙ୍କୁ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ୫ଟି ଓ ଲଛୁ ୮ଟି ଘଟଣାରେ ସାମିଲ ଥିବା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ତେବେ ସରକାରଙ୍କ ଘୋଷିତ ପୁରସ୍କାର ରାଶି ଉଭୟଙ୍କୁ ପ୍ରଦାନ କରାଯିବା ସହ ସେମାନଙ୍କ ଥଇଥାନ କରାଯିବ । ସେପଟେ ମଙ୍କୁ ଓ ଲଛୁଙ୍କ ଆତ୍ମସମର୍ପଣ ଦ୍ୱାରା ମାଓବାଦୀ ସଙ୍ଗଠନକୁ ଶକ୍ତ ଧକ୍କା ଦେଇଥିବା ବେଳେ ପୁଲିସକୁ ବଡ଼ ସଫଳତା ମିଳିଛି।