ସରକାରୀ ସ୍କୁଲପିଲାଙ୍କ ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ : ମେଡିକାଲ-ଇଞ୍ଜିନିୟରିଂରେ ୧୫ ପ୍ରତିଶତ ସିଟ୍

164

ଭୁବନେଶ୍ୱର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ସଂକଳ୍ପ ଆଣିଛନ୍ତି । ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ ଆଗତ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପକୁ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମର୍ଥନ କରିଛନ୍ତି । ଦିନକୁ ଦିନ ରାଜ୍ୟରେ ସରକାରୀ ସ୍କୁଲରେ ପିଲାମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଯାହାକୁ ନେଇ ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଉଛି । ଏହାକୁ ଲକ୍ଷ୍ୟ କରି ସରକାର ଏହି ସଂକଳ୍ପ ଆଣିଛନ୍ତି । ଏ ସଂପର୍କରେ ଆବଶ୍ୟକ ସୁପାରିସ୍ କରିବା ପାଇଁ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଡଃ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା ।

ଏହି ଉଚ୍ଚକ୍ଷମତା ସମ୍ପନ୍ନ କମିଟି ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ବିଶ୍ଳେଷଣ ପରେ ନିମ୍ନୋକ୍ତ ନିଷ୍କର୍ସ ଓ ସୁପାରିସ୍ ପ୍ରଦାନ କରିଛନ୍ତି । ଓଡିଶାରେ ସରକାରୀ ସ୍କୁଲମାନଙ୍କରେ ପ୍ରାୟ ୮୬ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ରାଜ୍ୟ ମେଡିକାଲ କଲେଜରେ ସେମାନେ ୨୩ ପ୍ରତିଶତ ଏବଂ ଇଞ୍ଜିନିୟରିଂ କଲେଜରେ ୨୧ ପ୍ରତିଶତ ସିଟ୍ରରେ ସ୍ଥାନ ପାଇପାରୁଛନ୍ତି । କିନ୍ତୁ ରାଜ୍ୟର ଘରୋଇ ସ୍କୁଲ ମାନଙ୍କରେ ମାତ୍ର ୧୨ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ସେମାନେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ କଲେଜର ୬୦ ପ୍ରତିଶତ ସିଟ୍ ପାଉଛନ୍ତି ।

ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ କୋଚିଂ ପ୍ରତିଷ୍ଠାନ ଗୁଡିକ ଯାହାକି ଜାତୀୟ ପ୍ରବେଶିକା ପରୀକ୍ଷା ଗୁଡିକରେ ସଫଳତା ଲାଭ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ସେଠାରେ ନାମ ଲେଖାଇବା ପାଇଁ ଆର୍ଥିକ ତଥା ପାରିପାର୍ଶ୍ୱିକ ସୁବିଧା ଅଭାବରୁ ଏଭଳି ବିଷମତା ସୃଷ୍ଟି ହେଉଛି । ଏହି ବିଷମତା ଦ୍ୱାରା ସଂଖ୍ୟାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କମିଟି ନିମ୍ନୋକ୍ତ ସୁପାରିସ୍ ପ୍ରଦାନ କରିଛନ୍ତି ।

ରାଜ୍ୟର ସରକାରୀ ହାଇସ୍କୁଲମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ । ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁ ସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଓଡିଶା ପ୍ରଫେସନାଲ ଏଜୁକେସନାଲ ଇନ୍ଷ୍ଟିଚ୍ୟୁସନ୍ସ (ରେଗୁଲେସନ ଅଫ ଆଡ୍ମିଶନ ଆଣ୍ଡ ଫିକ୍ସେସନ୍ ଅଫ ଫି) ଆକ୍ଟ, ୨୦୦୭ର ଧାରା ୯ ଅନୁଯାୟୀ ବିଜ୍ଞପ୍ତି ଜାରି କରିପାରିବେ ।

Leave A Reply

Your email address will not be published.