ଗଞ୍ଜାମକୁ ସୁରଟ ଚିନ୍ତା
-ସୁରଟରେ ବିସ୍ଫୋରକ ସ୍ଥିତି: ଗଞ୍ଜାମରେ ବଢ଼ିଲା ଟେନ୍ସନ୍
-ପ୍ରବାସୀ ଓଡ଼ିଆଙ୍କ ଉପରେ ତୀକ୍ଷ୍ଣ ନଜର
-ପଞ୍ଚାୟତ ଓ ଗାଁସ୍ତରରେ ତଥ୍ୟ ସଂଗ୍ରହ ଉପରେ ଜୋର
ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମବାସୀ ଏବେ ଚିନ୍ତାରେ । ଗତବର୍ଷର ଭୟଙ୍କର ସ୍ଥିତିକୁ ଲୋକେ ମନେ ପକାଇ ଆତଙ୍କିତ ହୋଇପଡ଼ୁଛନ୍ତି । ସୁରଟ ଓ ମହାରାଷ୍ଟ୍ର ଭଳି ହଟ୍ସ୍ପଟ୍ ରାଜ୍ୟରୁ ପ୍ରତିଦିନ ଶହଶହ ପ୍ରବାସୀ ବ୍ରହ୍ମପୁର ତଥା ଗଞ୍ଜାମକୁ ଫେରୁଛନ୍ତି । କରୋନାର ପୂର୍ବସ୍ଥିତି ଯେପରି ନ ଫେରିବ,ପ୍ରଶାସନ ଏଥିପାଇଁ ପୁରା ଦମ୍ରେ ଲାଗିପଡ଼ିଛି । ରେଳଷ୍ଟେସନରେ ସ୍ୱାସ୍ଥ୍ୟ ପରୀକ୍ଷା କଡ଼ାକଡ଼ି ହେଉଥିବା ବେଳେ ଅନ୍ୟ ରାଜ୍ୟରୁ ଫେରିଥିବା ଓଡ଼ିଆଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଗାଁ ଗାଁରେ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କୁ ସଚେତନ କରାଇବାରେ ଲାଗିପଡ଼ିଛନ୍ତି ।
ସୁରଟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । ଏଥିପାଇଁ ନାଇଟ୍ କର୍ଫ୍ୟୁ ସହିତ ୧୪୪ ଧାରା ମଧ୍ୟ ଲାଗୁ ହୋଇଛି । ଏଭଳି ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲାବାସୀ ଏବେ ଚିନ୍ତାରେ । ଗତବର୍ଷ ସୁରଟରୁ ପ୍ରବାସୀ ଓଡ଼ିଆ ଗଞ୍ଜାମ ଫେରିବା ପରେ ଜିଲ୍ଲାରେ କରୋନାର ଭୟଙ୍କର ସ୍ଥିତି ଉପୁଜିଥିଲା । ଚଳିତବର୍ଷ ମଧ୍ୟ ସୁରଟରୁ ପ୍ରତ୍ୟହ ଶହଶହ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଫେରୁଛନ୍ତି । ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ବାହାରୁ ଫେରୁଥିବା ପ୍ରବାସୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି ପ୍ରଶାସନ । ପଞ୍ଚାୟତ ଓ ଗାଁ ସ୍ତରରେ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଏଥିସହିତ ନିୟମିତ ଭାବେ ସ୍କ୍ରିନିଂ ମଧ୍ୟ କରାଯାଉଛି । କୌଣସି କରୋନା ଲକ୍ଷଣ ଦେଖାଦେଲେ ପରବର୍ତ୍ତୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ସୁରଟ ଓ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି ।
ଗତ ମାସ ୧୩ ତାରିଖରୁ ଏହି କ୍ୟାମ୍ପ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଗତବର୍ଷ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଆଶା, ଅଙ୍ଗନବାଡ଼ି, ଏଏନ୍ଏମ୍ ଓ ଡାକ୍ତରଙ୍କୁ ନେଇ ଗଠନ ହୋଇଥିଲା ଟିମ୍ । ଏବର୍ଷ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସଜାଗ ଥିବା ଜଣାଯାଇଛି ।
ସତର୍କ ରହିବାକୁ ଏସିଏସ୍ଙ୍କ ନିର୍ଦ୍ଦେଶ:
ଭୁବନେଶ୍ୱର: କରୋନାର ଲେଉଟାଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶେଷକରି ଏହି ଲେଉଟାଣି ପୂର୍ବାପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏହାକୁ ଆଖି ଆଗରେ କିଛି ରାଜ୍ୟରେ ଆଗୁଆ ପଦକ୍ଷେପ ନିଆଯାଇଛି । ଏବେ ଓଡ଼ିଶା ସରକାର ମଧ୍ୟ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ସିଡିଏମ୍ଓମାନଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି । ସବୁ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହସ୍ପିଟାଲରେ ଆଇସିୟୁ, ଡାଏଲିସିସ୍, ଲେବର୍ ରୁମ୍ ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସରକାରୀ ନୁହେଁ, ଘରୋଇ ହସ୍ପିଟାଲ୍ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବାକୁ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଘରୋଇ ହସ୍ପିଟାଲ୍ଗୁଡ଼ିକରେ ଫାଭିପିରାଭିର, ରେମଡେସିଭିର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ବହୁବିଧ ରୋଗାକ୍ରାନ୍ତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରିବାକୁ ଏସିଏସ୍ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ।