ବିଧାନସଭାରେ ବାଚସ୍ପତିଙ୍କ ଉପରେ ଚପଲ ଫିଙ୍ଗିଲେ ବିରୋଧୀ ବିଧାୟକ

254

ଭୁବନେଶ୍ୱର, ୦୩ ଏପ୍ରିଲ – “ଖଣି ବ୍ୟବସାୟ ନିୟନ୍ତ୍ରଣ କରୁଛି ରାଜ୍ୟ ରାଜନୀତି “ବିଷୟ ଉପରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ନୋଟିସ୍ କୁ ଆଲୋଚନା ପାଇଁ ବାଚସ୍ପତି ଅଗ୍ରାହ୍ୟ କରିଦେବାକୁ ନେଇ ଆଜି ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ଅନ୍ୟପକ୍ଷରେ ଗୃହରେ ଏହି ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଦେଖାଦେଇଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଚାଲୁ ରଖିବା ଓ ବିଲ୍ ପାରିତ କରାଇନେବାର ପ୍ରତିବାଦରେ ବିଜେପି ଦଳର ସଦସ୍ୟମାନେ କ୍ଷୁବ୍ଧ ହେବା ସହ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ଚପଲ ବ୍ୟତୀତ ଇୟରଫୋନ୍ , କାଗଜ ଗୁଳା ଓ କଲମ ମଧ୍ୟ ବାଚସ୍ପତିଙ୍କ ଉପରକୁ ଫିଙ୍ଗାଯିବାର ଦେଖିବାକୁ ମିଳିଥିଲା । ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ, ଖଣି ଦୁର୍ନୀତି ଆଲୋଚନା ହେଲା ନାହିଁ । ଧାନ ପ୍ରସଙ୍ଗରେ ଆଲୋଚନା ହେଲା ନାହିଁ । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଲେନି । ଆଲୋଚନା ନକରି ଅଗଣତାନ୍ତ୍ରିକ ଉପାୟରେ ବିଲ୍ ପାରିତ କରାଯାଉଛି । ବାଚସ୍ପତି ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବେ ବିଧାନସଭା ଚଳାଉଥିବାରୁ ପ୍ରତିବାଦ କରାଯାଇଛି । ଏହା ଅଗଣତାନ୍ତ୍ରିକ ଓ ପରିତାପର ବିଷୟ । ପ୍ରତିବାଦ କରାଯିବା ସତ୍ୱେ ବାଚସ୍ପତି ଶୁଣିନଥିଲେ । ମଣିଷକୁ ଯେତେବେଳେ ଅଧିକ ବାଧିବ ସେ ପ୍ରତିବାଦ ହିଁ କରିବ । ଏ ବାଚସ୍ପତି ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ । ଚପଲ କିଏ ପିଙ୍ଗିଛି ତାହା ସେ ଜାଣିନାହାନ୍ତି । ସେ ଗୃହ ଭିତରେ ନିଜର କଲମ ଫିଙ୍ଗିଥିଲେ ବୋଲି ଶ୍ରୀ ସେଠୀ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବାଚସ୍ପତିଙ୍କ ଆଡ଼କୁ ଚପଲ ଫିଙ୍ଗା ଯିବାର ଖବର ସେ ପାଇଛନ୍ତି । ଏପରି ଘଟଣାକୁ ସେ ନିନ୍ଦା କରୁଛନ୍ତି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗା ଯାଇଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀ ଇୟର ଫୋନ୍ ଫିଙ୍ଗିଛନ୍ତି । ଏହା ଏକ ଅଶୋଭନୀୟ ଓ ନିନ୍ଦନୀୟ କାର୍ଯ୍ୟ । ବାଚସ୍ପତି ଅନୁଧ୍ୟାନ କରିଛନ୍ତି । ଆବଶ୍ୟକ ପଦକ୍ଷେପ ନେବେ ।

ଶନିବାର ଦିନ ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଉଦବେଗ ପ୍ରକାଶ କରି କହିଥିଲେ ଯେ ତାଙ୍କ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଆଜିର କାର୍ଯ୍ୟସୂଚୀରେ ସ୍ଥାନିତ କରାଯାଇ ନାହିଁ । ବାଚସ୍ପତି ଏହାର ଉତରରେ ଏହା ବର୍ତମାନର ଘଟଣା ନୁହେଁ ବୋଲି କହି ଅଗ୍ରାହ୍ୟ କରିଛନ୍ତି । ଏହି କାରଣ ଯଥାର୍ଥ ନୁହେଁ ବୋଲି ସେ ମିଶ୍ର କହିଛନ୍ତି । ମୁଲତବୀ ପ୍ରସ୍ତାବ ନୋଟିସ୍ ଏକ ନିର୍ଦ୍ଦଷ୍ଟ ଘଟଣା ଉପରେ ଦିଆଯାଇଛି । ଏହାକୁ ଅଗ୍ରାହ୍ୟ କରାଯାଇପାରିନାହିଁ । ସେହିପରି ବିଜେପି ସଭ୍ୟ ମୋହନ ମାଝୀ କହିଥିଲେ ଯେ ପବିତ୍ର ଗୃହରେ ଶାସକ ଓ ବିରୋଧୀ ଦଳ ରହିଛି । ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରିବା କଥା । ବିରୋଧୀ ଦଳର ଅଧିକାର ଅଛି ମୁଲତବୀ ନୋଟିସ୍ ଆଣିବା ପାଇଁ ଆଜି କଂଗ୍ରେସର ଦିନ ଥିବାରୁ ସେମାନେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି । ଯେଉଁ କାରଣ ଦର୍ଶାଇ ଅଗ୍ରାହ୍ୟ କରାଯାଇଛି ସେଥିରେ ଆମେ ସନ୍ତୁଷ୍ଟ ନୁହେଁ । ଆଜିର ଦିନରେ ମଧ୍ୟ ଖଣି ଉତୋଳନ ଚାଲୁଛି । ଏହାଦ୍ୱାରା ପରମ୍ପରା ଭଙ୍ଗ ହୋଇଛି । ଏହା ଉପରେ ରୁଲିଂ ନଦେଲେ ସେ ନିଜ ଆସନରେ ଛିଡା ହୋଇ ରହିବେ ବୋଲି କହିଥିଲେ । ସେହିପରି ବିରୋଧୀ ଦଳ ନେତା ,ପ୍ରଦୀପ୍ତ ନାଏକ କହିଥିଲେ ଯେ ଖଣି ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଛି । କାହା ସ୍ୱାର୍ଥରେ ବିଧାନସଭାକୁ ବନ୍ଦ କରିବାକୁ ଯାଉଛନ୍ତି । ବାଚସ୍ପତି କୌଣସି ନିର୍ଦ୍ଦିଷ୍ଟ ରୁଲିଂ ନରଖିବାରୁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ,ଚାଲି ଆସି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ।୧ରୁ ୧ ଟା ୧୦ , ୧ଟା ୨୫ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

Leave A Reply

Your email address will not be published.