ପିଏଲଏଫଆଇ ନାମରେ ୧୦ ଲକ୍ଷ ଚାନ୍ଦା ମାଗିବା ଅଭିଯୋଗ : ୨ ଗିରଫ

148

ରାଉରକେଲା: ରାଉରକେଲା ପୁଲିସ ଜିଲ୍ଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅଂଚଳରେ ପିଏଲଏଫଆଇ ମାନଙ୍କ ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ, ସେମାନଙ୍କ ନାମରେ ଜଣେ କ୍ରସର ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ରାଉରକେଲା ପୁଲିସ । ତେବେ ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ ଅଂଚଳରେ ସକ୍ରୀୟ ଥିବା ଏହି ପିଏଲଏଫଆଇ ସଂଗଠନ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ବୀରମିତ୍ରପୁର ଥାନା ଅଂଚଳରେ ସକ୍ରୀୟ ଥିଲେ । ଏମାନେ ଅନେକ ଅପରାଧ ଘଟାଇବା ସହ ଅତୀତରେ ଦାଦା ବଟି ମଧ୍ୟ ଆଦାୟ କରୁଥିଲେ ।

ତେବେ ଏହି ସଂଗଠନର ପ୍ରଭାବ ଏବେ ରାଉରକେଲା ସହରରେ ପଡିଥିବା ବିଷୟ ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ ଏହି ସଂଗଠନ ନାମରେ ଚାନ୍ଦା ମାଗିବା କଥାରୁ ଷ୍ପଷ୍ଟ କରିଛି । ରାଉରକେଲା ରାଜଗାଙ୍ଗପୁର ଅଂଚଳରେ ପୂର୍ବରୁ ମାଓବାଦୀ ମାନେ ବ୍ୟବସାୟୀ ମାନଙ୍କୁ ଧମକ ଚମକ ଦେଇ କୋଟୀ କୋଟୀ ଟଙ୍କା ଆଦାୟ କରୁଥିବା ଖବର ପୁରାତନ ଏସପି ମାନେ ବାହାର କରିଥିଲେ । ପୂର୍ବତନ ଏସପି ହିମାଂଶୁଲାଲଙ୍କ ସମୟରେ ମାଓବାଦୀ ମାନଙ୍କ ଠାରୁ ପୁଳା ପୁଳା ଟଙ୍କା ଜବତ ଓ ସେମାନଙ୍କ ସ୍ୱିକାରୋକ୍ତି ସେ ସମୟରେ ବହୁ ଗୁଢ଼ ରହସ୍ୟ ଓ ବ୍ୟବସାୟୀ ମାନଙ୍କ ଭୟକୁ ପଦାକୁ ଆଣିଥିଲା । ତେବେ ନିକଟରେ ଏହି ପିଏଲଏଫଆଇ ମାନେ ଧିରେ ଧିରେ ରାଉରକେଲା ଭିତରକୁ ଯେ, ପ୍ରବେଶ କଲେଣି ତାହା ସେମାନଙ୍କ ନାମରେ ଚାନ୍ଦା ଆଦାୟରୁ କିଛିଟା ସୁରାକ୍ ମିଳିଛି ।

ତେବେ ଆଜି ରଘୁନାଥପାଲ୍ଲୀ ପୁଲିସ କହିଛି ଜଣେ କ୍ରସର ବ୍ୟବସାୟୀଙ୍କୁ ବେନାମୀ କଲ୍ କରି ତାଙ୍କ ଠାରୁ ୧୦ ଲକ୍ଷ ଆଦାୟ ଲାଗି ଚେଷ୍ଟା କରୁଥିବା ବେଳେ ପୁଲିସ ଏହି ଅଭିଯୋଗରେ ଚେତନ ଜୟପୁରୀୟା ଓ ଶୁଶିଲ ସମାର ନାମକ ନାମକ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଏକ ବନ୍ଧୁକ, ଗୋଟିଏ ମାଗାଜିନ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ ଜବତ କରାଯାଇଛି । ତେବେ ଏମାନେ ରାଉରକେଲା ପୁଲିସ ଜିଲ୍ଲା ଅଂଚଳର । ହେଲେ ଏମାନଙ୍କର ପିଏଲଏଫଆଇ ସଂଗଠନ ସହ କିଭଳି ସମ୍ପର୍କ ରହିଛି, କେତେଦିନ ହେଲା ରହିଛି ସେମାନେ ଆଗରୁ ଏଭଳି କେତେ ଚାନ୍ଦା ଆଦାୟ କେଉଁସବୁ ଯାଗାରୁ କରିଛନ୍ତି, ସେନେଇ ପୁଲିସ କୌଣସି ସୂଚନା ଦେଇନାହିଁ । ଖାଲି ସେତିକି ନୁହେଁ ସେମାନଙ୍କ ଠାରୁ ଜବତ ପିସ୍ତଲ, ମାଗାଜିନ୍‌, ଗୁଳି ଆଦି ସେମାନେ କେଉଁଠାରୁ ଆଣିଲେ ତାହା ମଧ୍ୟ ପୁଲିସ କହିନାହିଁ । ତେବେ ଏଥିରେ ଯେହେତୁ ପିଏଲଏଫଆଇର ସମ୍ପୃକ୍ତି ରହୁଛି ସେ ଦିଗରୁ ପୁଲିସର ଦାୟିତ୍ୱ ଓ ଘଟଣାର ଗୁରୁତ୍ୱ ବହୁ ଅଧିକ ବୋଲି କୁହାଯାଇଛି ।

Leave A Reply

Your email address will not be published.