କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ୍ ଅଂଚଳରେ ଗତ ୨୦୧୯ ରେ ଘଟିଯାଇଥିବା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ଅନ୍ୟ ଜଣଙ୍କୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ପୋକସୋ କୋର୍ଟ । କୋର୍ଟ ତାଙ୍କ ରାୟରେ ସାବାଳକ ଇଶ୍ୱର ଲୋହାର ଓରଫ ଟେଟେ (୨୧)କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ନାବାଳକ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ଜେଲ୍ ଦଣ୍ଡ ସାଙ୍ଗକୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୋରିମାନା ଅନାଦୟେ ବର୍ଷେ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।
ସେହିପରି ଦଫା ୩୬୩ ବଳରେ ଉଭୟଙ୍କୁ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଓ ହଜାରେ ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ସେହିପରି ଜୋରିମାନା ଅନାଦୟେ ଏକ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ କ୍ଷତିପୂରଣ ପ୍ରଦାନ ନେଇ ସ୍ୱତନ୍ତ୍ର ପୋକସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।