ଆବାସ ଯୋଜନାରେ ଘର ଖଣ୍ଡିଏ ଲାଗି ଶ୍ରୀବତ୍ସର ଆକୁଳ ନିବେଦନ

155

ଢେଙ୍କାନାଳ : କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଶର ସମସ୍ତ ନାଗରିକଙ୍କୁ ପକ୍କାଘରେ ରହିବାର ସୁବିଧା ସୁଯୋଗ ସହିତ ଖୁସିରେ ଜୀବନଯାପନ ଲାଗି ଆବାସ ଯୋଜନା/ବିଜୁ ପକ୍କାଘର ଭଳି ଲୋକାଭିମୂଖୀ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରକୃତ ଗରୀବ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ପକ୍କାଘର ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଯୋଜନା ଲାଗୁ ହେବାର ଅନେକ ବର୍ଷ ପରେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଁଚି ପାରିନାହିଁ । କିମ୍ବା ହୁଏତ ପ୍ରଶାସନ ହିତାଧିକାରୀ ଚୟନ କରିବାରେ ଅସମର୍ଥ ହୋଇପଡିଛି ।

ଏଭଳି ଏକ ହିତାଧିକାରୀ ହେଲେ ଭୁବନ ବ୍ଳକ ଗଡନୃସିଂହ ପଂଚାୟତର ମୁରୁଗା ଗ୍ରାମ ୧୦ ନଂ. ୱାର୍ଡ ନିବାସୀ ଶ୍ରୀବତ୍ସ ନାଏକ(୪୮) ଏବଂ ତାଙ୍କର ଅଭାବୀ ପରିବାର । ପେଶାରେ କୌଳିକ ବୃତି ବାଉଁଶ ସାହାଯ୍ୟରେ ଡଲା, କୁଲା ଆଦି ବୁଣି ହାଟ ବଜାରରେ ବିକ୍ରି କରି ନିଜର ୬ ପ୍ରାଣୀର ପରିବାରକୁ ଯେନତେନ ଚଳାଉଥିଲେ । ଏହା ଭିତରେ ଝିଅ ବିଭାଘର କରି ଅଭାବରେ ବଞ୍ଚୁଥିବା ବେଳେ ଦୈବ ଦୁଃଖର ନିଆଁ ଢାଳି ଦେଇଥିଲା ତାଙ୍କର ମୁଣ୍ଡ ଗୁଞ୍ଜୁଥିବା ଚାଳଛପର ଘରକୁ । ଯେଉଁଥିରେ ତାଙ୍କର ଚାଳଛପର ଘରଟି ପୋଡି ନଷ୍ଟ ହୋଇଯାଇଥିଲା ।

ଏବେ ସେହି ଘରକୁ ଚାଳ ଛପର ପଡିବାର ତିନି ବର୍ଷ ପୁରିବାକୁ ବସିଲାଣି । ଅଥଚ ସେବେଠାରୁ ଆଉ ଘର ମରାମତି କି ଛପର ହୋଇପାରିନାହିଁ । ଯାହା ଫଳରେ ମାଟିର କାନ୍ଥ ଭାଙ୍ଗିବାକୁ ବସିଲାଣି । ଚିରାଫଟା ପଲିଥିନ ତଳେ ଜୀବନ ଯାପନ କରୁଥିବା ଏହି ପରିବାର ଦିନରେ ଗଛମୂଳେ ତ ବର୍ଷା ହେଲେ ଗ୍ରାମର କୋଠଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ନାବାଳକ ପୁଅ ଘରେ ବେକାର ହୋଇ ବସିଥିବା ବେଳେ ଶ୍ରୀବତ୍ସ ନିଜେ ରୋଗାକ୍ରାନ୍ତ ହୋଇପଡିଛନ୍ତି । ପତ୍ନୀ ଫୁଲ ନାଏକଙ୍କ ଆଖିରେ ସୁଖର ସଂସାର ଲାଗି ମେଂଚାଏ ସ୍ୱପ୍ନ ହେଲେ ପରିବାର ଆର୍ଥିକ ଅସୁବିଧା ସହିତ ସ୍ୱାମୀଙ୍କର ଅସହାୟତା ତାଙ୍କ ଆଖିର ଲୁହ ହୋଇ ଝରୁଛି । ସେଥିପାଇଁ ସେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି କି ତାଙ୍କୁ ସରକାରୀ ଯୋଜନାରେ ଆବାସ ଘର ଖଣ୍ଡିଏ ପ୍ରଦାନ କରାଯାଉ ତା ସହିତ ଅନ୍ତୋଦୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ।

Leave A Reply

Your email address will not be published.