ଡୋଭାଲଙ୍କ ହସ୍ତକ୍ଷେପ ପରେ କଞ୍ଚାମାଲ ପଠାଇବାକୁ ରାଜି ହେଲା ଆମେରିକା

152

ନୂଆଦିଲ୍ଲୀ : ଭାରତର ଦାବି ଶୁଣିଲା ଆମେରିକା । ମୋଦି ସରକାରଙ୍କ “ଜେମ୍ସ ବଣ୍ଡ’ ତଥା ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହସ୍ତକ୍ଷେପ ପରେ ଆମେରିକା ଯେଉଁ ପ୍ରସଙ୍ଗରେ ଭାରତର କଥା ଶୁଣିବାକୁ ରାଜି ହେଉନଥିଲା ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିଛି । ନିକଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲା ।

ଏବେ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ପାରିବନି ବୋଲି ସୋମବାର ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ହ୍ୱାଇଟ୍ ହାଉସ୍ କହିଥିଲା । ତେବେ ଆଜି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଆମେରିକା କଞ୍ଚାମାଲ ତୁରନ୍ତ ପଠାଇବ ବୋଲି କହିଛି । କୋଭିଶିଲ୍ଡ ଉତ୍ପାଦନ ବୃଦ୍ଧି ପାଇଁ ଏହି କଞ୍ଚାମାଲ ଭାରତ ପାଇଁ ଅତ୍ୟନ୍ତ ଆବଶ୍ୟକତା ଥିଲା ।

ଆମେରିକାରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ ହୋଇଛି । ଏହି ନୀତିର ଅର୍ଥ “ଆମେରିକା ପ୍ରଥମ’ । ତେଣୁ କୋଭିଡ୍ ବେଳେ ଆମେରିକା ଭାରତକୁ ସହଯୋଗ କରିପାରିବ ନାହିଁ ବୋଲି ଗତ ସୋମବାର କହିଥିଲା । ଏବେ କିନ୍ତୁ ଦୁଇ ଦେଶର ପ୍ରମୁଖି ଅଧିକାରୀ ଆଲୋଚନା କରିବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇଛି । କରୋନା ବିରୋଧରେ ମୁକାବିଲା କରିବା ପାଇଁ ମିଳିମିଶି ଲଢ଼େଇ ଜାରି ରହିବ ବୋଲି ଦୁଇ ଅଧିକାରୀ ମଧ୍ୟ କହିଛନ୍ତି ।

ଏହାବାଦ ସଲିଭାନ୍ କହିଛନ୍ତି ଯେ, ତାଙ୍କ ଦେଶ ସ୍ପୀଡ୍ ଡାଇଗ୍ନୋଷ୍ଟିକ୍, ଟେଷ୍ଟ କିଟ୍, ଭେଣ୍ଟିଲେଟର ଏବଂ ପିପିଏ କିଟ୍ ଭାରତକୁ ପଠାଇବ । ଭାରତରେ କୋଭିଡ ପରିସ୍ଥିତିକୁ ଦେଖି ଆମେରିକାର ଚାମ୍ବର ଅଫ୍ କମର୍ସ ବାଇଡେନ ସରକାରଙ୍କୁ ହସ୍ତକ୍ଷେପକୁ କରିବାକୁ ଚାପ ପକାଇଥିଲା । ତୁରନ୍ତ ଟିକା ପାଇଁ ବ୍ୟବହୃତ କଞ୍ଚାମାଲ ଏବଂ ଅନ୍ୟ ଜୀବନ ରକ୍ଷାକାରୀ ଔଷଧ, ଉପକରଣ ଆଦି ଭାରତକୁ ପଠାଇବା ପାଇଁ ଚାପ ପକାଇଥିଲା । ଆଉ ହ୍ୱାଇଟ୍ ହାଉସରେ ଏ ପ୍ରସଙ୍ଗରେ କିଛି ଘଣ୍ଟା ଆଲୋଚନା ହେବାପରେ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଗତକାଲି କହିଥିଲା ।

Leave A Reply

Your email address will not be published.