ବନ ଧନ ଯୋଜନା ମାଧ୍ୟମରେ ଓଡ଼ିଶାର ଆଦିବାସୀ ଲୋକଙ୍କ ଜୀବନଜୀବିକାକୁ ମିଳିଥିବା ପ୍ରୋତ୍ସାହନ

170

ନୂଆଦିଲ୍ଲୀ : ଟ୍ରାଇଫେଡର “ସଂକଳ୍ପରୁ ସିଦ୍ଧି” ଗ୍ରାମମାନଙ୍କୁ ଡିଜିଟାଲ ସୁବିଧା ସହ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ (ଟ୍ରାଇଫେଡ଼ ଏବଂ ରାଜ୍ୟ ପ୍ରବର୍ତ୍ତନ ଏଜେନ୍ସି/ ମେଣ୍ଟରିଂ ଏଜେନ୍ସି/ ସହଭାଗୀମାନଙ୍କୁ ନେଇ ଗଠିତ) । ଏହି ଯୋଜନା ମାଧ୍ୟମରେ ଏବେ ଗ୍ରାମମାନଙ୍କୁ ଗସ୍ତ କରି ଅଧିକାରୀମାନେ ବନ ଧନ ବିକାଶ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରିବା ସହିତ ଏହାର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ସାରା ଦେଶରେ ଗ୍ରାମମାନଙ୍କୁ ଏଭଳି ଗସ୍ତ କରାଯାଉଛି ଏବଂ ଟ୍ରାଇଫେଡ଼ ପ୍ରତିନିଧି ଦଳ ଗ୍ରାମାଞ୍ଚଳରେ ବନ ଧନ ବିକାଶ କେନ୍ଦ୍ରଗୁଡ଼ିକ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ତଥା ସରକାରୀ ଯୋଜନାର ସୁଫଳ କେତେ ମାତ୍ରାରେ ଲୋକମାନଙ୍କ ନିକଟରେ ପହଞ୍ଚି ପାରିଛି ତାହାର ବାସ୍ତବ ସ୍ଥିତି ଆକଳନ କରିପାରୁଛନ୍ତି ।

ଯେଉଁସବୁ ରାଜ୍ୟମାନଙ୍କରେ ବନ ଧନ ବିକାଶ ଯୋଜନା ଖୁବ୍‍ ଶୀଘ୍ର ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି ତାହା ମଧ୍ୟରେ ଓଡ଼ିଶା ପ୍ରମୁଖ ରାଜ୍ୟ ରହିଛି । ଏବେସୁଦ୍ଧା ରାଜ୍ୟରେ ୬୬୦ଟି ବନ ଧନ ବିକାଶ କେନ୍ଦ୍ର ଯାହାକୁ ୨୨ଟି ବନ ଧନ ବିକାଶ କେନ୍ଦ୍ର କ୍ଲଷ୍ଟର ଭାବେ ବର୍ଗୀକୃତ କରାଯାଇଛି, ତାହା ମାଧ୍ୟମରେ ୬୩୦୦ରୁ ଅଧିକ ଆଦିବାସୀ ଲୋକ ସକାରାତ୍ମକ ଭାବେ ଉପକୃତ ହୋଇପାରିଛନ୍ତି ।

ଗତ କିଛି ମାସ ମଧ୍ୟରେ ଏହିସବୁ କ୍ଲଷ୍ଟରମାନଙ୍କରେ ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆହରଣ କରାଯିବା ସହ ଲୋକମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ଏହିସବୁ କ୍ଲଷ୍ଟରଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ କୋରାପୁଟ ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି । ଆଦିବାସୀ ଲୋକମାନଙ୍କ ଦ୍ୱାରା ସେହିସବୁ କେନ୍ଦ୍ରମାନଙ୍କରେ ଚଳିତ ମାସ ପ୍ରାରମ୍ଭରେ ଆବଶ୍ୟକ କଞ୍ଚାମାଲ ଆହରଣ, ପ୍ରକ୍ରିୟାକରଣ ତଥା ଉତ୍ପାଦନ ଆରମ୍ଭ ହୋଇଛି ।

ମୟୂରଭଞ୍ଜ ଜିଲ୍ଲାରେ, ତିନୋଟି କ୍ଲଷ୍ଟର ମାଧ୍ୟମରେ ଆଦିବାସୀ ହିତାଧିକାରମାନେ ଉପକୃତ ହୋଇପାରୁଛନ୍ତି । ସେହିସବୁ କ୍ଲଷ୍ଟରଗୁଡ଼ିକ ହେଲା, ଲୁଗୁବୁରୁ ଭିଡିଭିକେସି, ମା’ ଧରିତ୍ରୀ ଭିଡ଼ିଭିକେସି ଏବଂ ଭୀମକୁଣ୍ଡ ଭିଡ଼ିଭିକେସି। ଏହିସବୁ କେନ୍ଦ୍ରମାନଙ୍କରେ ଶାଳପତ୍ର, ଶାଳ ମଞ୍ଜି, କୁସୁମ ମଞ୍ଜି ଏବଂ ଜଙ୍ଗଲରୁ ସଂଗୃହୀତ ମହୁକୁ ପ୍ରକ୍ରିୟାକରଣ କରାଯାଉଛି । ସେହିଭଳି ଶାଳପତ୍ରରୁ ଖାଇବା ଥାଳି, ଦନା ପ୍ରସ୍ତୁତ କରାଯିବା ସହିତ କୁସୁମ ତେଲ ଓ ମହୁକୁ ପ୍ରକ୍ରିୟାକରଣ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ଆଦିବାସୀ ହିତାଧିକାରୀମାନେ ଆଞ୍ଚଳିକ ଖଣ୍ଡାଧାର ଭିଡ଼ିଭିକେସି ମାଧ୍ୟମରେ କଞ୍ଚା ଆମ୍ବ, ସୋରିଷ ଓ ହଳଦୀରୁ ଆମ୍ବ ପାମ୍ପଡ଼, ଆମ୍ବ ଆଚାର, ହଳଦୀ ଗୁଣ୍ଡ ଏବଂ ସୋରିଷ ତେଲ ପ୍ରସ୍ତୁତ କରୁଛନ୍ତି । ବନ ଦୁର୍ଗା ଭିଡ଼ିଭିକେସି କ୍ଲଷ୍ଟରରେ ଏମଏଫପିମାନେ ତେନ୍ତୁଳି, ଶାଳ ମଞ୍ଜି ଓ ଚାର ମଞ୍ଜକୁ ପ୍ରକ୍ରିୟାକୃତ ତଥା ମୂଲ୍ୟଯୁକ୍ତ କରୁଛନ୍ତି । ସେଠାରେ ହିତାଧିକାରୀମାନେ ତେନ୍ତୁଳିରୁ ମଞ୍ଜି ଛଡ଼ାଇବା, ତେନ୍ତୁଳି ଗୁଳା ପ୍ରସ୍ତୁତ କରିବ, ଶାଳ ସାମ୍ପୁ ପ୍ରସ୍ତୁତ କରିବା ସହ ଚାର ମଞ୍ଜି ପ୍ୟାକେଟ ଆଦି ପ୍ରସ୍ତୁତ କରୁଛନ୍ତି ।

କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଭିଡ଼ିଭିକେ କ୍ଲଷ୍ଟରମାନଙ୍କରେ ସେହିଭଳି ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦନ କରାଯାଉଛି । ସେଥି ମଧ୍ୟରେ ତେନ୍ତୁଳି ଗୁଳା, ମହୁଆ ତେଲ, ଜୈବ ଚାଉଳ ପ୍ୟାକେଟ୍‍, ମହୁଆ ତେଲ, ନିମ ତେଲ, ଚିରୋଞ୍ଜି ମଞ୍ଜିଛଡ଼ା ଓ ହଳଦୀ ଗୁଣ୍ଡ ଆଦି ସାମିଲ ।

Leave A Reply

Your email address will not be published.