ଗଞ୍ଜାମ : କରୋନା ଦ୍ୱିତୀୟ ଲହରର ପ୍ରାର୍ଦୁଭାବକୁ ଦୃଷ୍ଟିରେ ରଖି ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତୀଙ୍କ ସୁରକ୍ଷା ଲାଗି ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରୀ ହୋଇଛି । ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କ ପୁଷ୍ଟି ସାଧନ, ସ୍ତନ୍ୟପାନ ଓ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ (ଶାମ୍), ସ୍ୱାସ୍ଥ୍ୟ ରକ୍ଷା ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ରମରେ କରୋନା ସଂକ୍ରମିତ ସାବଧାନତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି ।
ଆଇସିଡିଏସ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀ ପରସ୍ପର ସହିତ ମତ ବିନିମୟ କରିବା ସମୟରେ ମାସ୍କ ପିନ୍ଧିବେ, ଦୁଇ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲା ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧବା ନେଇ ଅବିଭାବକଙ୍କୁ ସଚେତନ କରାଯିବ । କୌଣସି ଲକ୍ଷଣ ଦେଖାଦେଲେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ । ସ୍ୱାସ୍ଥ୍ୟର ଅବନତି ପରିଲକ୍ଷିତ ହେଲେ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତି କରାଯିବ । ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସଦ୍ୟ ପ୍ରସ୍ତୁତ ଲୁଣ, ମିଠା ଏବଂ ଚର୍ବି ରହିତ ପୁଷ୍ଟିକର ଖାଦ୍ୟ ଦିଆଯିବ ।
ପୂର୍ବରୁ ଚିହ୍ନଟ ହୋଇଥିବା ଶାମ୍ ଓ ଅତିଶୟ ଅଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସିଡ଼ିପିଓ, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଶନିବାର କିଶୋରୀ ମାନଙ୍କୁ ଦିଆଯାଉଥିବା ଆଇରନ୍ ଓ ଫଲିକ୍ ଏସିଡ଼୍ ବଟୀକାକୁ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ଘରକୁ ନେଇ ଯୋଗାଇବେ । ସେହିଭଳି ସ୍କୁଲ ଛାତ୍ରଛାତ୍ରୀଙ୍କ ଘରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପହଂଚାଇବେ । ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ଶିଶୁଙ୍କ ଓଜନ ନିୟମିତ ଭାବେ ତଦାରଖ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।