ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ୟସ୍

195

ଭୁବନେଶ୍ୱର : ଗତକାଲି ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ସର୍କୁଲେସନ ଆଜି ଏକ ଲଘୁଚାପରେ ପରିଣତ ହୋଇଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି । ୨୪ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା କ୍ରମଶଃ ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ଜଣାପଡ଼ିଛି ।

ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି ଯ଼େ ଏହା ଆସନ୍ତା କାଲି ଅର୍ଥାତ ୨୩ ତାରିଖ ସକାଳସୁଦ୍ଧା ଏକ ଡିପ୍ରେସନରେ ପରିଣତ ହେବ । ପରଦିନ ଅର୍ଥାତ ୨୪ ତାରିଖ ସୁଦ୍ଧା ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଏବଂ ତତସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ବାଂଲାଦେଶ ଉପକୂଳକୁ ଏହା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ପ୍ରଭାବରେ ୨୪ ତାରିଖରୁ ପବନ ଆରମ୍ଭ ହେବ । ୨୫ ତାରିଖରେ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ବାତ୍ୟାର ମୁକାବିଲା କରିବାକୁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟର ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯ଼ିବା ସହ ପ୍ରଶାସନକୁ ସତର୍କ କରିଦିଆଯ଼ାଇଛି ।

Leave A Reply

Your email address will not be published.