କରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠିତ

145

-ଟିକାକରଣ , ଆଗାମୀ ଲହର ପାଇଁ ପ୍ରସ୍ତୁତି ଲାଗି ପରାମର୍ଶ ଦେବ କମିଟି : ମୁଖ୍ୟ ଶାସନ ସଚିବ
-ଗ୍ଲୋବାଲ ଟେଣ୍ଡରରେ କିଣାଯିବ ୩.୮ କୋଟି ଟିକା

ଭୁୁବନେଶ୍ୱର : କରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା ପ୍ରମୁଖ କମିଟିରେ ଅଛନ୍ତି । ଏହି କମିଟି ଟିକାକରଣ, ଆଗାମୀ ଲହର ପାଇଁ ପ୍ରସ୍ତୁତି , କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକୀୟ ଭିତିଭୂମି ଉପରେ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି ଯେ ଏଭଳି ପଦକ୍ଷେପ ନେବାରେ ଓଡିଶା ପ୍ରଥମ । ରାଜ୍ୟବାସୀଙ୍କୁ ଶୀଘ୍ର ଟିକାକରଣ କରିବାକୁ ପ୍ରୟାସ ଚାଲିଛି । ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଟେଣ୍ଡର ଡକାଯାଇଛି । ୪ ମାସ ଭିତରେ ଟିକା ଯୋଗାଇବାକୁ ସମୟ ଦିଆଯାଇଛି । ସଫଳ ବିଡିଂ ହେଲେ ମଇ ୨୮ ପରେ ଟିକା ମିଳିପାରିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଲକଡାଉନ୍ ପରେ ୧୦ ଜିଲ୍ଲାରେ ସଂକ୍ରମଣ ହାର ସ୍ଥିର ରହିଛି । କିଛି ଜିଲ୍ଲାରେ ସଂକ୍ରମଣ ହାର କମିବାକୁ ଆରମ୍ଭ କରିଛି । ପଶ୍ଚିମାଂଚଳ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । କରୋନା ନିୟମ ପାଳନ କଲେ ସଂକ୍ରମଣକୁ କମାଇପାରିବା । ଏବେ ସରକାରୀ ହସ୍ପିଟାଲରେ ଦିନକୁ ୧୫ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.