ନୂତନ ଏସଓପି ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ: ମଧ୍ୟାହ୍ନ ଭୋଗ ବାହାରିବା ପରେ ଆନନ୍ଦ ବଜାରରେ ପ୍ରସାଦ ସେବନ ପାଇଁ ପ୍ରକ୍ରିୟା ଜାରୀ

159
ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଗତକାଲି ଜାରୀ ହୋଇଥିବା ନୂତନ ସ୍ପେଶାଲ ଅପରେଟିଙ୍ଗ ପ୍ରୋସିଜ୍ୟୁର (ଏସଓପି) ଅନୁଯାୟୀ ଆଜି ସକାଳ ୬ଟା ଠାରୁ ଶ୍ରୀଜୀଉମାନଙ୍କ ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ମାନେ ଜୋତା ଷ୍ଟାଣ୍ଡ ଠାରୁ ଧାଡିରେ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଉତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଏଥି ସହିତ ଭକ୍ତ ମାନେ ଆଜି ମଧ୍ୟାହ୍ନ ଭୋଗ ବାହାରିବା ପରେ ଆନନ୍ଦ ବଜାରରେ ପ୍ରସାଦ ସେବନ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରୀ ରହିଛି ।
ଆଜି ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଆଜି ଭୋର୍ ୫ଟା ୪୦ରେ ଦ୍ୱାରଫିଟା, ୬ଟା ୧୦ ଭିତର ଶୋଧ, ୬ଟା ୨୦ ରେ ମଇଲମ, ୬ଟା ୨୫ ତଡ଼ପ ଲାଗି, ୬ଟା ୫୦ ଅବକାଶ ପୂଜା, ୭ଟା ୩୫ ରେ ମଇଲମ, ୭ଟା ୪୦ ରେ ରୋଷ ହୋମ, ୭ଟା ୫୫ ବେଶ ଶେଷ, ୮ଟା ୩୫ ରେ ସୂର୍ଯ୍ୟ ପୂଜା, ୮ଟା ୫୦ ରେ ଦ୍ୱାରପାଳ ପୂଜା, ପରେ ପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି ସେବାୟତ ମାନେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତର ଓ ବାହାରେ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ଶ୍ରଦ୍ଧାଳୁ ମାନେ ହାତ ସାନିଟାଇଜ୍ କରି କୋଭିଡ଼୍ ନିୟମ ଅନୁଯାୟୀ ଶାରିରୀକ ଦୂରତା ରକ୍ଷା କରି ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖାଯାଇଛି ।
Leave A Reply

Your email address will not be published.