ଆଉ ଏକ ବାତ୍ୟା ‘ବୁରେଭି’ ଆସୁଛି

165

ନୂଆଦିଲ୍ଲୀ : ଦକ୍ଷିଣରେ ବାତ୍ୟା ‘ନିଭାର’ ପରେ ଏବେ ‘ବୁରେଭି’ ଆତଙ୍କ ଖେଳାଇଛି। ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ଅଞ୍ଚଳ‌ରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ତାମିଲନାଡ଼ୁ ଏବଂ କେରଳରେ ହାଇ ଆଲର୍ଟ ଜାରି ହୋଇଛି। କେରଳର ୪ ରାଜ୍ୟ ଥିରୁଅନନ୍ତପୁରମ୍‌, କୋଲ୍ଲାମ୍‌, ପଥନମଥିତ୍ତ ଏବଂ ଆଲାପ୍ପୁଝାରେ ସରକାର ରେଡ୍‌ ଆଲର୍ଟ‌୍ ଜାରି କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, ବାୟୁସେନା ଏବଂ ନୌସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ରାଜ୍ୟରେ ୮ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ସାରିଛନ୍ତି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଥିରୁଅନନ୍ତପୁରମ୍‌ର ୪୮ଟି ଗ୍ରାମ ପାଇଁ ସ୍ବତନ୍ତ୍ର ରେଡ୍‌ ଆଲର୍ଟ ଜାରି ହୋଇଛି। ବାତ୍ୟା ‘ବୁରେଭି’ ଦୁଇଟି ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି। ଏହି ବାତ୍ୟା ଆଜି ରାତିରେ ଶ୍ରୀଲଙ୍କା ଅତିକ୍ରମ କରିବ ଏବଂ ଡିସେମ୍ବର ୪ରେ ଏହା ତାମିଲନାଡ଼ୁର ତୁତିକୋରିନ୍‌ ଅତିକ୍ରମ କରିବ। ‘ନିଭାର’ ଠାରୁ ‘ବୁରେଭି’ର ପ୍ରଭାବ ଅଧିକ ରହିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ, ମାହେ, କରଇକଲ୍‌, ଏବଂ ଉତ୍ତର କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତାମିଲନାଡ଼ୁ ଏବଂ କେରଳର କିଛି ଅଂଶରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.