ବାରିପଦା: ବାରିପଦା ଆର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଫେବୃଆରୀ ୧୭ରୁ ପୁଣିଥରେ ଆରମ୍ଭ ହୋଇଛି । ଏଥି ନିମନ୍ତେ ବାରିପଦା ଡ଼ିଭିଜନ ଉପନିର୍ବନ୍ଧକଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିବା ପରେ ଜମାକାରୀମାନେ ସେମାନଙ୍କର ଜମାରାଶି ଫେରି ପାଇବାର ରାସ୍ତା ଫିଟିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ବ୍ୟାଙ୍କ ପକ୍ଷରୁ କୌଣସି ଜଣେ ହେଲେ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ଦିଆଯାଇ ନ ଥିବାର ସୂଚନା ମିଳିଛି ।
ଏବିଷୟରେ ବାରିପଦା ଆର୍ବାନ ବ୍ୟାଙ୍କର ଭାରପ୍ରାପ୍ତ ମୁଖ୍ୟ ପରିଚାଳକ ଅମରେନ୍ଦ୍ର କୁମାର କର କହିଛନ୍ତି ଆଜିଠାରୁ ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ । ଆମ ନିକଟରେ ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ଦେବା ନିମନ୍ତେ ଉପରୁ କୌଣସି ଲିଖିତ ଆଦେଶନାମା ନ ଥିଲା ।ଭବିଷ୍ୟତରେ ସୁବିଧା ଅସୁବିଧାକୁ ଦୃଷ୍ଟିରେ ରଖି ଆଗକୁ ଆଗେଇ ପାରି ନ ଥିଲୁ । ଗତ ୨୦୨୦ ଜୁଲାଇ ୭ଠାରୁ ଜମାକାରୀମାନେ ବ୍ୟାଙ୍କରୁ ସେମାନଙ୍କ ଜମା ଟଙ୍କା ଉଠାଇବା ନିମନ୍ତେ କରିଥିବା ଆବେଦନକୁ ଭିତି କରି ପ୍ରତ୍ୟେକ ଦିନ ଜମାକାରୀମାନେ ଆବେଦନ ପତ୍ରରେ ସେମାନଙ୍କର ସୁବିଧା ଅନୁସାରେ ଦେଇଥିବା ବ୍ୟାଙ୍କ ଜମାଖାତାକୁ ଟଙ୍କା ଟ୍ରାନ୍ସଫାର କରାଯିବ ବୋଲି ବାରିପଦା ଆର୍ବାନ ବ୍ୟାଙ୍କର ଭାରପ୍ରାପ୍ତ ମୁଖ୍ୟ ପରିଚାଳକ ଶ୍ରୀକର କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୧୨ ମସିହାଠାରୁ ବାରିପଦା ଆର୍ବାନ ବ୍ୟାଙ୍କର ୩୬୯୮୪ ଜମାକାରୀମାନେ ସେମାନଙ୍କ ଜମା ରାଶି ନ ଉଠାଇ ପାରି ହୀନସ୍ତା ହୋଇ ଆସୁଛନ୍ତି । ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ନିମନ୍ତେ ପୂର୍ବତନ ପରିଚାଳନା ପରିଷଦର ପ୍ରଚେଷ୍ଟା କ୍ରମେ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ମିସ୍ କେଶ ନମ୍ବର ଆଇଏ ୬୯୫/୨୦୨୦ର ବିଚାର କରି ନ୍ୟାୟମୂର୍ତି ପ୍ରମୋଥ ପଟ୍ଟନାୟକ ଜମାକାରୀମାନଙ୍କୁ ସମସ୍ତ ଜମା ଟଙ୍କା ଫେରସ୍ତ ଦେବା ନିମନ୍ତେ ନିର୍ଦ୍ଦେଶ ଦେବା ପରେ ଆର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ୩ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ ଦିଆ ଯାଇଥିବା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରସ୍ତ ଉପରେ ସ୍ଥଗିତାଦେଶ ଆଣିବା ପରେ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ରହିଥିଲା । ପୁନଶ୍ଚ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ପକ୍ଷରୁ ଗତ ସେପ୍ଟେମ୍ବର ୧୫ରେ ଉକ୍ତ ମାମଲାର ଶୁଣାଣି କରାଯାଇ ୮ ସପ୍ତାହ ମଧ୍ୟରେ ଜମାକାରୀମାନଙ୍କୁ ଜମା ରାଶି ଫେରସ୍ତ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଆର୍ବାନ ବ୍ୟାଙ୍କ ଜମାକାରୀମାନଙ୍କୁ ଜମା ଟଙ୍କା ଫେରସ୍ତ ଦେବାର ନାମ ଧରିଲା ନାହିଁ ।
ଫଳରେ ବିଜଦର ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କ ପରାମର୍ଶ କ୍ରମେ ବ୍ୟାଙ୍କର ପୂର୍ବତନ ସଭାପତି ଗିରିଧାରୀ ପୃଷ୍ଟିଙ୍କ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଂଚଳର ଜମାକାରୀ ପଙ୍କଜ କୁମାର ଶାହା ଓ ଅନ୍ୟ କେତେଜଣ ଉଚ୍ଚ ନ୍ୟାୟାଳୟରେ କେଶ ନମ୍ବର ୫୫୭୬/୨୦୨୦ରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ । ଉକ୍ତ ଅଦାଲତ ଅବମାନନା ମାମଲାକୁ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତୀ ସଞ୍ଜୁ ପଣ୍ଡା ଓ ନ୍ୟାୟମୂର୍ତୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଏକ ଖଣ୍ଡପୀଠ ବସି କାହିଁକି ଜମାକାରୀମାନଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ଦିଆ ଯାଇ ନାହିଁ ଓ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରାଗଲା ତାହାର ଜବାବ ଏକ ସପ୍ତାହ ମଧ୍ୟରେ ଅଦାଲତରେ ଦାଖଲ କରିବାକୁ ସରକାରଙ୍କୁ ତଲବ କରିଥିଲେ ଏବଂ ଆଜି ଉଚ୍ଚ ନ୍ୟାୟାଳୟରେ ମଧ୍ୟ ମାମଲାର ଶୁଣାଣି ରହିଥିବାର ସୂଚନା ମିଳିଛି ।
ତେବେ ଆଜିଠାରୁ ବ୍ୟାଙ୍କରୁ ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେଉଥିବାର ଖବର ଜମାକାରୀମାନଙ୍କ ମୁହଁରେ ହସ ଫୁଟାଇ ଦେଇଛି । କେତେକ ଜମାକାରୀ ମଧ୍ୟ ବ୍ୟାଙ୍କକୁ ଆସି ଖବର ବୁଝାବୁଝି କରି ଫେରିଯାଉଥିବାର ଦେଖିବାକୁ ମିଳିଛି ।