ଭୁବନେଶ୍ୱର: ଗତକାଲି ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ୨୩ ପୂରି ୨୪ ବର୍ଷରେ ପାଦ ଦେଇଛି ଦଳ । କୋଭିଡ୍ କଟକଣା ଭିତରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଦଳର ସମସ୍ତ ନେତା ଏବଂ ସାଙ୍ଗଠନିକ ପଦାଧିକାରୀଙ୍କୁ ଅବଗତ କରିଥିଲେ । ଏହାସହ ବର୍ଷସାରା ବିଭିନ୍ନ ସାଙ୍ଗଠନିକ-କଲ୍ୟାଣମୂଳକ କାର୍ଯ୍ୟକ୍ରମ ଏବଂ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ନିକଟତର ହେବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି । ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ମିଡିଆ ଟିମ୍ ଘୋଷଣା କରାଯାଇଥିଲା । ଏହି ଟିମ୍ ଦଳର ଆଭିମୁଖ୍ୟ ସବୁକୁ ଲୋକଙ୍କ ଆଗରେ ରଖିବ । ସୂଚନାଯୋଗ୍ୟ ଯେ, ବିଜେଡିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେଇ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ବିଜେଡି ସୁପ୍ରିମୋ । ଯୁବ କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡ଼ିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ କହିଥିଲେ-ଜାତୀୟ ଦଳ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଆସୁଛନ୍ତି । ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତି ବିକାଶର ବଡ଼ ଶତ୍ରୁ ବୋଲି କହିବା ସହ ସମସ୍ତଙ୍କ ପାଇଁ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ । ବିଜୁ ଛାତ୍ର କାର୍ଯ୍ୟକାରିଣୀରେ ଅପପ୍ରଚାର ବିରୋଧରେ ଲଢ଼େଇ କରିବା ସହିତ ସତକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଆହ୍ୱାନ ଦେଇଥିଲେ । ଏଭଳି ସ୍ଥିତିରେ ଗତକାଲି ରାଜ୍ୟବାସୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ବିଜେଡି ସୁପ୍ରିମୋ କ’ଣ ବାର୍ତ୍ତା ଦେବେ ତାହା ଉପରେ ସମସ୍ତଙ୍କ ନଜର ଥିଲା । ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ରୋଡ୍ମ୍ୟାପ୍ ଦଳୀୟ କର୍ମୀଙ୍କ ଆଗରେ ରଖିଛନ୍ତି ନବୀନ । ଦୁର୍ନୀତି ବିରୋଧୀ ଲଢ଼େଇ ବା ଜିରୋ ଟଲେରାନ୍ସ ଏଗେନଷ୍ଟ କରପ୍ସନ୍ ଅଭିଯାନକୁ ଆହୁରି ବ୍ୟାପକ କରି ସ୍ୱଚ୍ଛ ପ୍ରଦେଶ ଗଠନ ପାଇଁ ମାର୍ଗ ଦେଖାଇଥିଲେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଗତ ବର୍ଷକ ଭିତରେ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଚାକିରିରୁ ବରଖାସ୍ତ କରିବା ସହିତ ୬୦ରୁ ଅଧିକ କର୍ମଚାରୀଙ୍କ ପେନସନ୍ ବନ୍ଦ କରାଯାଇଛି । ଜନ ବିରୋଧୀ କାର୍ଯ୍ୟ ପାଇଁ ନିଜ ଦଳର ବିଧାୟକଙ୍କୁ ବହିଷ୍କାର କରିବାର ସାହସ ଦେଖାଇଥିବା ମୁଖ୍ୟମନ୍ତ୍ରୀ ଭିଜନ- ୨୦୩୬ର ବିକଶିତ ଓଡ଼ିଶାର ରୋଡ୍ମ୍ୟାପ୍ ରଖିବାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିଥିଲା । ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହୋଇଛି ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ଗାଁ ଗାଁରେ ବିଜେଡି ସରକାରର ୨୦ ବର୍ଷର ସଫଳତା ବାର୍ତ୍ତା ପହଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇଥିଲେ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କାର୍ମୀଙ୍କୁ ଅବଗତ କରିଥିଲେ ।
ଅପରାଜେୟ ନବୀନ
ବିଜେଡିକୁ ୨୩ ପୂରି ୨୪ ଚାଲିଲା । କୋଭିଡ୍ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବଗତ କରିଥିଲେ । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଯେତେବେଳେ ଶପଥ ଗ୍ରହଣ କରିଥିଲେ କିଏ ଜାଣିଥିଲା କେତେଦିନ ତାଙ୍କ ଶାସନ ଚାଲିବ ବୋଲି । ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଓଡ଼ିଶା ଏବଂ ଆର୍ଥିକ ସଂକଟଗ୍ରସ୍ତ ରାଜ୍ୟକୁ ଶାସନ ଦେବାରେ ନବୀନ କେତେ ସଫଳ ହେବେ ତାହା କିଏ ଜାଣିଥିଲା । ସଭିଙ୍କ ମନରେ ଆଶଙ୍କା ଥିଲା ଯେ, ବିଜେଡି-ବିଜେପି ମେଣ୍ଟରେ ନୂଆ ସରକାର ଗଢ଼ା ହୋଇଛି ସତ, ମାତ୍ର ଅଧିକ ଦିନ ତିଷ୍ଠିବ ନାହିଁ । ଦଳ ଭିତରେ ଆଭ୍ୟନ୍ତରୀଣ ଚୌକି କସରତ୍ ଓ ଦଳ ବାହାରେ ବିରୋଧୀଙ୍କ ଗୋଟିଚାଳନା ସବୁ ସମୟରେ ଭିନ୍ନ ଏକ ରାଜନୈତିକ ଆକଳନ ଆଡକୁ ନେଉଥିଲା । କିନ୍ତୁ ବିରୋଧୀଙ୍କ ଗୋଟିଚାଳନାକୁ ମୁକାବିଲା କରିବାରେ ନବୀନ ସଫଳ ହୋଇଥିଲେ । ଥରେ ନୁହେଁ ପାଞ୍ଚ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ୮୦ ଦଶକରେ ବିଜୁ ବନାମ ଜାନକୀଙ୍କ ରାଜନୈତିକ ଦୃଶ୍ୟପଟ୍ଟକୁ ରାଜ୍ୟବାସୀ ଦେଖିଥିଲେ । ୧୯୮୦-୯୦ କଂଗ୍ରେସ ସରକାର ଓ ୧୯୯୦-୯୫ ବିଜୁ ପଟ୍ଟନାୟକଙ୍କ ଜନତା ସରକାର ପରେ ୧୯୯୫-୨୦୦୦ରେ ପୁଣି କଂଗ୍ରେସ ଓଡ଼ିଶା ରାଜନୀତିକୁ ଦଖଲ କରିଥିଲା । ହଠାତ୍ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେବେଳେ ସମଗ୍ର ଦେଶରେ ଜନତା ଦଳ ଖଣ୍ଡ ଖଣ୍ଡ ହୋଇଯାଇଥିଲା ସେତେବେଳେ ଓଡ଼ିଶାରେ କଂଗ୍ରେସକୁ ମୁକାବିଲା କରିବାରେ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ଥିଲା । ଠିକ୍ ସେତିକି ବେଳେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ଅଣରାଜନୀତିରୁ ଆସି ନବୀନବାବୁ ଦଳର ନେତୃତ୍ୱ ନେଇଥିଲେ । ଓଡ଼ିଶା ରାଜନୀତିରେ ସର୍ବଜନବିଦିତ ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ନବୀନବାବୁ କିମ୍ବା ତାଙ୍କ ପରିବାରର କେହି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରାଜନୀତିକୁ ଆସିନଥିଲେ । ଶେଷରେ ବାଧ୍ୟବାଧକତାରେ ନବୀନ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ । ଓଡ଼ିଶା ରାଜନୀତିର ଆବଶ୍ୟକତା ତାଙ୍କୁ ବିଜୁବାବୁଙ୍କ ସ୍ଥାନରେ ନେତୃତ୍ୱର ପ୍ରତୀକ ଭାବେ ଆଣିବାକୁ ସତେ ଯେମିତି ବାଧ୍ୟ କରିଥିଲା । ସେ ରାଜନୀତି କ’ଣ ନଜାଣି ନିର୍ବାଚନ ଲଢ଼ିଥିଲେ ଓ ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ । ପରେ ଏନ୍ଡିଏ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେହିଦିନଠାରୁ ସେ ରାଜନୀତିରେ ଆଉ ପଛକୁ ଫେରି ଚାହିଁନାହାନ୍ତି । ୧୯୯୯ ମହାବାତ୍ୟାରେ ବିଧ୍ୱସ୍ତ ଓଡ଼ିଶା ଜାନକୀ ପଟ୍ଟନାୟକ ଓ ଗିରିଧାରୀ ଗମାଙ୍ଗଙ୍କ ମୁଖ୍ୟମନ୍ତ୍ରିତ୍ୱ ବିବାଦ ମଧ୍ୟରେ ରାହା ଖୋଜୁଥିବା ବେଳେ ଏହା ମଧ୍ୟରେ ନବୀନଙ୍କ ଆବିର୍ଭାବ ହୋଇଥିଲା । ୨୦୦୦ ମସିହାରେ ଚିତ୍ରପଟ୍ଟ ବଦଳିଯାଇଥିଲା । କଂଗ୍ରେସର ଚୌକି ଖେଳରେ ଜାନକୀ-ଗିରିଧର ଓ ଶେଷରେ ହେମାନନ୍ଦ ବିଶ୍ୱାଳ ତିନି ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଅତିଷ୍ଠ ରାଜ୍ୟବାସୀ ନବୀନଙ୍କୁ ବିପୁଳ ଭୋଟରେ ବିଜୟୀ କରାଇଥିଲେ । ପୂର୍ବ ସରକାରରେ କଳାହାଣ୍ଡି, କୋରାପୁଟ, ବଲାଙ୍ଗିର ଓ ନୂଆପଡ଼ାର ଅନାହାର ମୃତ୍ୟୁ ଜାତୀୟସ୍ତରରେ ଓଡ଼ିଶାର ପରିଚୟ ସୃଷ୍ଟି କରିଥିଲା । କିନ୍ତ ଆଜିର ଦୃଶ୍ୟପଟ୍ଟ ଆଉ ବର୍ଣ୍ଣନା କରିବାର ନାହିଁ । ୨୦୦୦ ମସିହା ମାର୍ଚ୍ଚ ୫ତାରିଖ ପରଠାରୁ ସେ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ନିଜକୁ ପ୍ରତିପାଦିତ କରିବା ସହିତ ବିରୋଧୀଙ୍କ ନାମ୍ ନିଶାନ ମିଟାଇ ଦେଇଛନ୍ତି । ୨୧ ବର୍ଷ ଭିତରେ ଓଡ଼ିଶା ବଦଳିଛି ସତ, କିନ୍ତୁ ନବୀନ ବଦଳି ନାହାନ୍ତି । ତାଙ୍କର ସରଳ ବେଶଭୂଷା, ଅମାୟିକ ବ୍ୟବହାର ଓ ସାଧାରଣ ଜୀବନଯାପ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ସମ୍ପତ୍ତି ଆହରଣ, ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ପ୍ରତିପତିଠାରୁ ଆଜି ମଧ୍ୟ ସେ ବହୁ ଦୂରରେ । ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଏପରି ଅପରିବର୍ତ୍ତନ ଜୀବନଶୈଳୀକୁ ଆପଣାଇ ଲୋକଙ୍କ ବିଶ୍ୱାସ ଜିତିବାରେ ସେ ଯେ ସମଗ୍ର ଦେଶରେ ଅଦ୍ୱିତୀୟ ଏଥିରେ ସନ୍ଦେହ ନାହିଁ ।