ପୁରୀ : ପୁରୀ ସହରକୁ ବ୍ରାଉନ ସୁଗାର ଯୋଗାଇବା ଓ ବିକ୍ରିକରିବା ଅଭିଯୋଗ ରେ ତାଳବଣିଆ ପୋଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ବାଲିଘାଟ ଛକରେ ତାଳବଣିଆ ଥାନା ପକ୍ଷରୁ ମାସ୍କ ଚେକିଂ କରାଯାଉଥିଲା । ଏହି ସମୟରେ ଦୁଇ ଜଣ ଯୁବକ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ପୋଲିସ ସନ୍ଦେହ କରି ପଚାରିବାରୁ ସେମାନେ ବ୍ରାଉନ ସୁଗାର କାରବାରରେ ଜଡିତ ଥିବା ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ତାଳବଣିଆ ଥାନାରେ ୭୯/୨୧ ନମ୍ବର ରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଥିଲେ । ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଶଙ୍କର ଦାସ, ୩୦ ବର୍ଷ । ସେ ବର୍ତମାନ ଖୋର୍ଦ୍ଧା ଜିଲ୍ଲା ନନ୍ଦନକାନନ ଥାନା ଅନ୍ତର୍ଗତ ପଦାସାହିରେ ରହୁଛି ।
ସେହିପରି ଦ୍ୱିତୀୟ ଅଭିଯୁକ୍ତ ଜଣଙ୍କ ପୁରୀ ସହର ବାସେଳୀସାହି ଥାନା ଅଧୀନ ମିଶ୍ର ସାହି ଜଗନ୍ନାଥ ବସ୍ତିର ପଞ୍ଚୁ ବେହେରା, ୨୮ ବର୍ଷ । ସେମାନେ ବେପାର ଓ ଲାଭ ପାଇଁ ଏପରି ଧନ୍ଦା ବାଛିଥିବା କହିଥିଲେ । ସେମାନଙ୍କ ଠାରୁ 6ଗ୍ରାମ ୯୭୦ ମିଲିଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି । ଯାହାର ବଜାର ମୂଲ୍ୟ ଆନୁମାନିକ ୬୧ ହଜାର ଟଙ୍କା ହେବ । ଏହାସହ ଗୋଟିଏ ନାଲିକଳା ରଙ୍ଗର ମଟରସାଇକେଲ ଓ ଏକ ହଜାର ଟଙ୍କା ଜବତ କରିଛି ।