ଶ୍ରୀମନ୍ଦିରରେ ଚାଚେରୀ ବେଶ

167

ପୁରୀ: ଫାଲଗୁନ ଶୁକ୍ଳ ନବମୀ ଯୁକ୍ତ ଦଶମୀ ତିଥି ଅବସରରେ ରତ୍ନସିଂହାସନାରୁଢ଼ ଶ୍ରୀ ବିଗ୍ରହ ମାନଙ୍କର ମନୋରମ ଚାଚେରୀ ବେଶ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଅଛି । ଫାଲ୍ଗୁନ ମାସ ଦଶମୀ ଠାରୁ ଚତୁର୍ଦଶି ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଠାକୁର ମାନଙ୍କ ଚାଚେରୀ ବେଶ ଅନୁଷ୍ଠିତ ହେବ । ଚଳିତ ମାସ ଚତୁର୍ଦ୍ଦଶୀ କ୍ଷୟ ଥିବାରୁ ନବମୀ ଯୁକ୍ତ ଦଶମୀ ତିଥିରେ ମହାପ୍ରଭୁଙ୍କ ଚାଚେରୀ ବେଶ ଆରମ୍ଭ ହୋଇଅଛି । ମହାପ୍ରଭୁଙ୍କ ଏହି ବେଶଟି ଆନନ୍ଦ ଉଲ୍ଲାସମୟ ଦୋଳଉତ୍ସବକାଳୀନ ବିଶେଷ ବେଶ ।

ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବାପରେ ତିନି ବାଡ଼ରେ ମଇଲମ ହୋଇ ନାଲି ପାଟବସ୍ତ୍ର ଲାଗି ହୋଇଥିଲା । ଏହାପରେ ପାଳିଆ ମେକାପ ଭଣ୍ଡାର ଘର ଠାରୁ ଚନ୍ଦନ ଆଣିବାରେ ତିନି ବାଡ଼ରେ ସର୍ବାଙ୍ଗ ନୀତି ବଢିଥିଲା । ରତ୍ନ ସିଂହାସନରେ ତିନି ବାଡ଼ରେ ଚାଚେରୀ ବେଶ ବଢିବା ପୂର୍ବରୁ ମାହାଜନଙ୍କ ଦ୍ଵାରା ଭୂଦେବୀ, ଶ୍ରୀଦେବୀ ଦଖିଣି ଘରକୁ ବିଜେ ହୋଇ ବେଶ ହୋଇଥିଲେ । ବେଶ ବଢି ପାଣି ପଡିଲା ପରେ ଚାଚେରୀ ଭୋଗ ଛାମୁକୁ ଆସିଥିଲା । ପରେ ଭୂଦେବୀ, ଶ୍ରୀଦେବୀ ଏବଂ ଦୋଳଗୋବିନ୍ଦ ସିଂହାସନକୁ ବିଜେ ହେଲାପରେ ପଞ୍ଚପଚାରରେ ଚାଚେରୀ ଭୋଗ ବଢିଥିଲା । ପାଣି ପଡିଲା ପରେ ପୂଜାପଣ୍ଡା ସାମନ୍ତେ, ପତି ମହାପାତ୍ରେ ଓ ମୁଦିରସ୍ତଙ୍କ ଦ୍ଵାରା ଫଗୁ ଲାଗି ସହ ବନ୍ଦାପନା ହୋଇଥିଲେ ।

ଏହାପରେ ଆଜ୍ଞା ମାଳ ପାଇବାପରେ ଶ୍ରୀଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ ହୋଇ ଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିଥିଲେ । ଠାକୁର ମାନଙ୍କ ବିଜେ ପରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢି ସନ୍ଧ୍ୟା ଧୂପ ନିମନ୍ତେ ପାଣି ପଡିଥିଲା । ଜଗନ୍ନାଥ ବଲ୍ଲଭରେ ଜଉ ଡାଵ ଖେଳ, ଫଗୁ ବନ୍ଦାପନା, ଶିତକ ଭୋଗ ସରିବାପରେ ବିଜେ ପ୍ରତିମା ମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରି ପାଣି ଲାଗି ହୋଇ ଭୂଦେବୀ, ଶ୍ରୀଦେବୀ ରତ୍ନ ସିଂହାସନକୁ ଏବଂ ଦୋଳ ଗୋବିନ୍ଦ ଦଖିଣି ଘରକୁ ବିଜେ କରିଥିଲେ । ଏହାପରେ ମହାପ୍ରଭୁଙ୍କ ପରବର୍ତ୍ତି ନୀତି ମାନ ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.