ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ ଖର୍ଚ୍ଚ ହେବ ୪୪୮ କୋଟି, ଉପକୃତ ହେବେ ଲକ୍ଷାଧିକ ମତ୍ସ୍ୟଜୀବୀ

Chief Minister's Fisheries Welfare Scheme launched 448 crore will be spent, lakhs of fishermen will benefit

225

ଭୁବନେଶ୍ୱର,୨୧ା୧୧ : ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ପ୍ରଚୁର ଜଳସଂପଦ ରହିଛି । ଅର୍ଥନୀତିର ବିକାଶ ପାଇଁ ଜଳସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା, ସେମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା, ମା’ ମାନଙ୍କୁ ସଶକ୍ତ କରିବା ଏବଂ ସର୍ବୋପରି ରାଜ୍ୟର ଆର୍ôଥକ ବିକାଶ କରିବା । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ୫-ଟି ନୀତିରେ କାର୍ଯ୍ୟକାରୀ କରାଯିବ । ଏଥିରେ ୧୧,୦୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୫୦ ହଜାର ମାଛ ଚାଷୀ ଓ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକାର ପାଇବେ ବୋଲି ସେ କହିଥିଲେ । ରାଜ୍ୟରେ ମତ୍ସ୍ୟ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୨୦ ବର୍ଷ ଭିତରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରି ଗୁଣ ବୃଦ୍ଧି ପାଇଛି । ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ୪୫୦୦ କୋଟି ଟଙ୍କାରେ ପହଞ୍ଚିଛି । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଓଡିଶା ମତ୍ସ୍ୟନୀତି-୨୦୧୫ ଏବଂ ଓଡିଶା ଜଳଭଣ୍ଡାର ମତ୍ସ୍ୟନୀତି୨୦୧୨ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ସେ କହିଥିଲେ । ଓଡିଶା ଆଜି ମାଛ ଯାଁଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ମତ୍ସ୍ୟ ଓ ପଶୁସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜନତାଙ୍କ ମୁଖ୍ୟମନ୍ତ୍ରୀ । ଜନତାଙ୍କ କଲ୍ୟାଣ ପାଇଁ ସେ ସବୁବେଳେ ନୂଆ ନୂଆ ଯୋଜନା କରିଆସିଛନ୍ତି । ଆଜି ବିଶ୍ୱ ମତ୍ସ୍ୟ ଦିବସରେ ଏହି ଯୋଜନା ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ରୂପାନ୍ତର ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି ଯୋଜନାର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଶ୍ରୀ ସ୍ୱାଇଁ ବିସ୍ତୃତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ, କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ମତ୍ସ୍ୟଜୀବୀମାନେ ଅନ୍‌ଲାଇନ ଜରିଆରେ ଯୋଡି ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.