କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନଖଣ୍ଡ ବାମେବାରୀ ସେକ୍ସନ ଅନ୍ତର୍ଗତ ବାସନ୍ତପୁର, ଜଳଡିହି ଗ୍ରାମ ନିକଟରେ ଆଜି ସକାଳୁ ଏକ ଦନ୍ତା ହାତୀ ବିଦ୍ୟୁତ୍ ଆଘାତରେ ମରିଥିବା ଖବର ଆସିଛି । ଅଣ୍ଡିରା ଦନ୍ତା ହାତୀ ଦେହରେ ୧୧କେଭି ବିଦ୍ୟୁତ୍ ତାର ଲାଗିଥିବା ଦେଖା ଯାଇଛି । ରାତିରେ ଏହି ଘଟଣା ଘଟି ଥିଲେ ମଧ୍ୟ ସକାଳୁ ଲୋକେ ମୃତ ହାତୀଟିକୁ ଦେଖିଥିଲେ । ଏପଟେ ହାତୀ ଜଗିବାକୁ କେନ୍ଦୁଝର ବନ ବିଭାଗ ଥର୍ମାଲ ଇନଫ୍ରା ରେଡ୍ କ୍ୟାମେରା ବ୍ୟବହାର କରି ହାତୀ ଦଳର ଚକଚକିଆ ଫଟୋ ଛାଡ଼ି ପ୍ରଶଂସା ସାଉଁଟିବାରେ ଲାଗି ଥିଲା ବେଳେ ବାସ୍ତବରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି ।
ସରକାର ଘୋଷଣା କଲେ ବିଦ୍ୟୁତ୍ ତାର ୧୮ଫୁଟ ଉପରେ ଯିବ ହେଲେ ତାହା କେବଳ କାଗଜ କଲମରେ । ଏପରିକି ଖଣି ଅଞ୍ଚଳରେ ଜଙ୍ଗଲରେ ୧୧କେଭି ବିଦ୍ୟୁତ୍ ତାର ଝୁଲି ଯାଇଛି ହାତୀ ଟାଣି ନେଉଛି । ଏବେ ଏହି ଘଟଣା ପରେ ବନ ବିଭାଗ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦିବ ବିଜୁଳି ବିଭାଗ ବନ ବିଭାଗ ଉପରେ ଏହିପରି କିଛି ଦିନ ପରେ ମାମଲା ଥଣ୍ଡା ପଡ଼ିବ ।
ସାଧାରଣ ଲୋକେ ଏହି ଦୁଇ ବିଭାଗକୁ ସିଧା ଦାୟୀ କରିଛନ୍ତି । ତେଣୁ ସରକାର ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରନ୍ତୁ । ଜଙ୍ଗଲରେ ବିଦ୍ୟୁତ୍ ତାର ଓ ଖୁଣ୍ଟର ଦେଖାରଖା ଠିକ୍ ଭାବେ ହେଉନି । ବନ ବିଭାଗ ମଧ୍ୟ ସଚେତନ କରୁନି କି ଅଭିଯୋଗ ମଧ୍ୟ ।
କେନ୍ଦୁଝର ହାତୀ ଚଲାପଥରେ ଜବରଦଖଲ ଅଛି ରେଲୱେ ଟ୍ରାକ ଜାତୀୟ ରାଜପଥ ଯାଇଛି ଟ୍ରେନ ଓ ଟ୍ରକ୍ ଧକ୍କାରେ ହାତୀ ମରୁଛନ୍ତି ଏପଟେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀର ମୃତ୍ୟୁ ଏହି ଜୀବର ଅସ୍ତିତ୍ୱ ଲୋପ କଲା ଭଳି ସମ୍ଭାବନା ବିପଦ ସୃଷ୍ଟି କରିଛି । ରିପୋର୍ଟ ଲେଖା ବେଳେ ଘଟଣାସ୍ଥଳରେ କେନ୍ଦୁଝର ଡିଏଫଓ ଏଚ ଡି ଧନରାଜ୍ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।