ଭୁବନେଶ୍ୱର, : ପରିବେଶ ପ୍ରଦୂଷଣ ଏବେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି । କେବଳ ସହର ନୁହେଁ, ଗାଁ ଗଣ୍ଡା ମଧ୍ୟ ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଲାଣି । କେଉଁଠି ଜଳ ପ୍ରଦୂଷଣ ତ କେଉଁଠି ବାୟୁ ପ୍ରଦୂଷଣ ପରିବେଶକୁ ବିଷଜ୍ୱାଳାରେ ଭରି ଦେଲାଣି । ରାଜଧାନୀ ଦିଲ୍ଲୀ ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛି । ସେଠାରେ ସ୍କୁଲ ବନ୍ଦ ସହ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି । ସହରାଞ୍ଚଳଗୁଡ଼ିକ ବେଳକୁ ବେଳ ଅତି ପ୍ରଦୂଷିତ ହେବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଅନେକ ସହର ପ୍ରଦୂଷିତ ହେବାରେ ଲାଗିଛି । ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି ପାଳନ ହେବ । ଏହି ଅବସରରେ ଆତସବାଜିରେ ସାରା ରାଜ୍ୟ କମ୍ପିବ । ଏଥିଯୋଗୁ ବାୟୁ ଅତିମାତ୍ରାରେ ପ୍ରଦୂଷିତ ହେବ । ବାୟୁରେ କାର୍ବନ ଡାଇଅକ୍ସାଇଡଠାରୁ ଆରମ୍ଭ କରି କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ପଦାର୍ଥ ବାୟୁ ମଣ୍ଡଳରେ ଭରି ଯିବ । ଶୀତଦିନ ଆରମ୍ଭ ହୋଇଥିବାରୁ ଏବେ ଅଧିକାଂଶ ଲୋକ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଛନ୍ତି । ବାୟୁ ପ୍ରଦୂଷଣ ଯୋଗୁ ଏହା ଆହୁରି ସଂକ୍ରମିତ ହେବାର ସମ୍ଭାବନା ରହିଛି । କେବଳ ମନୁଷ୍ୟ ନୁହନ୍ତି ଜୀବଜନ୍ତୁ ମଧ୍ୟ ଆତସବାଜି ଯୋଗୁ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳି ପାଇଁ ସୋମବାର ଏକ ଗାଇଡ୍ ଲାଇନ ଜାରି କରାଯାଇଛି । ୧୨୫ ଡେସିବଲରୁ ଉଦ୍ଧ୍ୱର୍ ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ରାତି ୧୦ଟାରୁ ସକାଳ ୬ଟା ଯାଏ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ଶବ୍ଦକୁ ବାରଣ କରାଯାଇଛି । ୧୨୫ ଡେସିବଲରୁ ଉଦ୍ଧ୍ୱର୍ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏଥିସହିତ ଅତି ଉଚ୍ଚ ଶବ୍ଦ କରୁଥିବା ଯନ୍ତ୍ରାଂଶ, ଡିଜେ ଆଦି ୬୫ ଡେସିବଲକୁ ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ଉପରୋକ୍ତ ଗାଇଡ୍ ଲାଇନ ଖିଲାପ କଲେ ଓଡ଼ିଶା (ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.