ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁଚାଲାଣ ବଢ଼ୁଥିବାବେଳେ ପୋଲିସ ମଧ୍ୟ ବାରମ୍ବାର ଗୋମାଫିଆମାନଙ୍କ ଉପରେ ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ନାଚୁଣୀ ଫାଣ୍ଡି ପୋଲିସ ୧୧ ଟି ମଇଁଷିକୁ ଉଦ୍ଧାର କରିବା ସହ ଦୁଇ ଗୋଟି ଭ୍ୟାନ ସମେତ ତିନି ଜଣଙ୍କୁ ଗିରଫ କରିଛି ।ସୂଚନା ଅନୁଯାୟୀ ଶନିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଭୂଷଣ୍ଡପୁର ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଅଂଚଳର ପାଣ୍ଡିଆ ଗ୍ରାମକୁ ବେଆଇନ ମଇଁଷି ବୋଝେଇ ଗାଡ଼ି ଯାଉଥିବାର ସୂଚନା ପାଇଥିଲେ । ସଙ୍ଗେ ସଙ୍ଗେ ଏନେଇ ଏସଡ଼ିପିଓ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କୁ ଜଣାଇଥିଲେ । ଏସପିଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଠାରୁ ନାଚୁଣୀ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାରେ ପୋଲିସ ନାକାବନ୍ଦୀ ଜାରି ରଖିଥିଲା ।
ବେଆଇନ ଗୋଚାଲଣରେ ବ୍ୟବହୃତ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ କଉଡ଼ିଖଣି ଛକରୁ ଦୁଇ ଗୋଟି ପିକ ଅପ ଭ୍ୟାନକୁ ଜବତ କରି ୧୧ ଗୋଟି ଜୀବନ୍ତ ମଇଁଷିକୁ ଉଦ୍ଧାର କରିଛନ୍ତି । ମଇଁଷିମାନଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଫାଣ୍ଡି ଅଧିକାରୀ ସଙ୍ଗେସଙ୍ଗେ ପ୍ରାଣୀଚିକିତ୍ସାଧିକାରୀଙ୍କୁ ଡକାଇ ସେମାନଙ୍କ ଚିକିତ୍ସା କରାଇଥିଲେ । ପରିଶେଷରେ ମଇଁଷି ମାନଙ୍କୁ ଜଟଣୀ ଖୁଦୁପୁର ସ୍ଥିତ ମାଧବ ଗୋଶାଳାକୁ ହସ୍ତାନ୍ତର କରାଯାଇଛି ।
ତେବେ ଉକ୍ତ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ ବାଣପୁର ଥାନାରେ କେସ ନମ୍ବର ୨୫୨/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରିରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।