ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୩-୨ରେ ଜର୍ମାନୀକୁ ହରାଇଲା ଭାରତ

165

ରାଉରକେଲା : ବିଶ୍ୱ ଚମ୍ପିୟନ ଜର୍ମାନୀକୁ ହରାଇ ହକି ପ୍ରୋ ଲିଗରେ ନିଜ ଯାତ୍ରା ଆରମ୍ଭ କରିଛି ଭାରତ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ୍‌ ଆୟୋଜକ ଭାରତ ଏବଂ ବିଶ୍ୱ ଚମ୍ପିୟନ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ନୂଆ କୋଚ୍‌ କ୍ରିଗ୍‌ ଫୁଲଟନ ଏବଂ ଅଧିନାୟକ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ୩-୨ରେ ଜର୍ମାନୀକୁ ପରାସ୍ତ କରିଛି । ମ୍ୟାଚର ପ୍ରଥମାର୍ଦ୍ଧରେ ଟିମ ଇଣ୍ଡିଆ ଗୋଟିଏ ଗୋଲ ଦେଇ ଜର୍ମାନୀ ବିପକ୍ଷରେ ଲିଡ୍‌ ନେଇଥିଲା । ମ୍ୟାଚର ୩୦ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହରମନପ୍ରୀତ ସିଂ ପେନାଲ୍ଟିକୁ ଗୋଲରେ ପରିଣତ କରି ଟିମକୁ ୧-୦ରୁ ଆଗୁଆ କରାଇଥିଲେ ।

ଏହାପରେ ମ୍ୟାଚର ୩୨ ମିନିଟରେ ସୁଖଜିତ୍‌ ଟିମ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ । ମ୍ୟାଚର ୪୩ ମିନିଟରେ ସୁଖଜିତ୍‌ ପୁଣି ଏକ ଗୋଲ ଦେଇ ଟିମକୁ ୩-୦ରେ ଆଗୁଆ କରାଇଥିଲେ । ମ୍ୟାଚର ୪୫ ମିନିଟରେ ଜର୍ମାନୀ ଷ୍ଟ୍ରାଇକର କୌଫମନ ନିଜ ଟିମ ପାଇଁ ପ୍ରଥମ ଗୋଲ କରିଥିଲେ । ମ୍ୟାଚର ଶେଷ ଦୁଇ ମିନିଟରେ ଜର୍ମାନୀ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ ଷ୍ଟୁଅର୍ଟହୋଫ୍‌ । ଫୁଲ୍‌ ଟାଇମ ପରେ ଭାରତ ୩-୨ରେ ଜର୍ମାନୀକୁ ପରାସ୍ତ କରିଥିଲା । ମ୍ୟାଚରେ ଦୁଇଟି ଗୋଲ କରିଥିବା ସୁଖଜିତ ସିଂ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ । ଆସନ୍ତା ମାର୍ଚ୍ଚ ୧୨ରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ
ଭାରତର ପରବର୍ତ୍ତୀ ମୁକାବିଲା ଅଷ୍ଟ୍ରେଲିଆ ସହ ହେବ ।

Leave A Reply

Your email address will not be published.