ଭାରତୀୟ ପୁରୁଷ ହକି ଟିମ୍, କ୍ରେଗ୍ ଫୁଲଟନ୍ ନୂଆ କୋଚ୍
ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମ ପାଇଁ ନୂଆ କୋଚଙ୍କ ନାଁ ଘୋଷଣା କରିଛି ହକି ଇଣ୍ଡିଆ । ଶୁକ୍ରବାର ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତି ଦିଆଯାଇଥିବା ହକି ଇଣ୍ଡିଆ କହିଛି । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୦ରୁ ଭାରତ ଏଫଆଇଏଚ ହକି ପ୍ରୋ ଲିଗରେ ଭାଗ ନେବ । ଏହା ପୂର୍ବରୁ ଫୁଲଟନଙ୍କ ନାଁରେ ମୋହର ବାଜିଛି । ୪୮ ବର୍ଷୀୟ କୋଚଙ୍କ ଆଗରେ ଭାରତୀୟ ଟିମକୁ ଏକଜୁଟ କରିବା ବଡ଼ ଚ୍ୟାଲେଞ୍ଜ ରହିବ ।
ଗ୍ରାହମ ରିଡଙ୍କ ଇସ୍ତଫା ପରେ ଭାରତୀୟ ଟିମର କୋଚ୍ ହୋଇଛନ୍ତି । କ୍ରେଗ ଫୁଲଟନଙ୍କ ପାଖରେ ପ୍ରଶିକ୍ଷଣର ୨୫ ବର୍ଷର ଅଭିଜ୍ଞତା ରହିଛି । ନିଯୁକ୍ତି ପରେ ସେ ଖୁବଶୀଘ୍ର ଟିମ ସହ ଯୋଡି ହେବେ । ନେତୃତ୍ୱରେ ବିଶ୍ୱାସ କରୁଥିବା ଫୁଲଟନଙ୍କ ନିଜର ପୁରୁଣା ଭୂମିକାରେ ଭଲ ପରିମାଣ ଦେଇଥିଲେ । ୨୦୧୪ରୁ ୨୦୧୮ ମଧ୍ୟରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ସେହି ସମୟରେ ସେ ଆର୍ୟଲାଣ୍ଡର କୋଚ୍ ହୋଇଥିଲେ । ତାଙ୍କରି ପ୍ରଶିକ୍ଷଣ ସମୟରେ ଆର୍ୟଲ୍ୟାଣ୍ଡ ଟିମ ୨୦୧୬ରେ ଅଲିମ୍ପିକ ଖେଳ ପାଇଁ କ୍ୱାଲିଫାଏ କରିଥିଲା ।
୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆର୍ୟଲ୍ୟାଣ୍ଡ ଟିମ ଅଲିମ୍ପିକରେ ସାମିଲ ହୋଇଥିଲା । ଏହି ଐତିହାସିକ ଉପଲବ୍ଧି ପରେ ୨୦୧୫ରେ ତାଙ୍କୁ ଏଫଆଇଏଚ୍ କୋଚ୍ ଅଫ୍ ଦ ଇୟର ଘୋଷଣା କରାଯାଇଥିଲା । ଏହାପରେ ସେ ତକ୍ରାଳୀନ ଅଲିମ୍ପିକ ·ମ୍ପିୟନ ବେଲଜିୟମର ସହାୟକ କୋଚ୍ ଭାବେ କାମ କରିଥିଲେ । ସେହି ସମୟରେ ବେଲଜିୟମ ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବିଶ୍ୱ ହକିରେ ବେଲଜିୟମ ରାଷ୍ଟ୍ରୀୟ ଟିମର ଉନ୍ନତ ପ୍ରଦର୍ଶନରେ ଫୁଲଟନଙ୍କ ବଡ଼ ଯୋଗଦାନ ରହିଛି । ଫୁଲଟନ ନିଜ ହକି କ୍ୟାରିୟରରେ ଦକ୍ଷିଣ ଆଫ୍ରିକା ଟିମ ପାଇଁ ୧୦ ବର୍ଷରେ ୧୯୫ ମ୍ୟାଚ୍ ଖେଳିଛନ୍ତି ।