ବଡ଼ଦାଣ୍ଡ ପାଖରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର

182

ପୁରୀ: ବଡ଼ଦାଣ୍ଡ ପାର୍ଶ୍ୱରୁ ଗତକାଲି ଜଣେ ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଜଣେ ଅଣଓଡ଼ିଆ ଯୁବତୀ ବୋଲି ଜଣାଯାଇଛି। ତାଙ୍କୁ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବତୀଙ୍କ ବୟସ ପ୍ରାୟ ୩୦ ବର୍ଷ ହୋଇଥିବାର ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡ ଓ ଗଳାରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା ଜଣାଯାଇଛି। ଏବେ ସର୍ଜରି ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନା ଛକସ୍ଥିତ ମାଳିଜାଗା ମନ୍ଦିର ନିକଟ ଗଳିରେ ପଡ଼ିଥିଲେ। କିଛି ଲୋକେ ସାହିଭାଇ ଅନୁଷ୍ଠାନକୁ ଖବର ଦେବା ପରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ କିଛିଦିନ ହେବ ସେହି ଅଞ୍ଚଳରେ ବୁଲାବୁଲି କରି ଆଶ୍ରୟ ନେଉଥିଲେ। ଗୁରୁବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ କରିବା ପରେ ସଙ୍ଗୀନ ଅବସ୍ଥାରେ ଫିଙ୍ଗି ଫେରାର ହୋଇଯାଇଛି। ନିକଟରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ସବୁ ଜଣାପଡ଼ିବ ବୋଲି ଲୋକେ କହିଥିବା ବେଳେ ଏନେଇ କୁମ୍ଭାରପଡ଼ା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.