ଉକ୍ରଳମଣିଙ୍କୁ ଭାରତ ରତ୍ନ ଦାବି

169

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘ ନେତୃତ୍ୱରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ଉପାଧି ପ୍ରଦାନ କରାଯିବାକୁ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଦାବି କରାଯାଇଛି । ଏ ନେଇ ଶୁକ୍ରବାର ସାମାଜିକ ଗଠନମାନଙ୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଉପାଧି ଦେବାକୁ ଦାବି କରି ଜିଲାର ବିଭିନ୍ନ ବ୍ଲକରେ ସାମାଜିକ ସଂଗଠନ ମାନଙ୍କ ତତ୍ତ୍ୱାବଧାନରେ ଦସ୍ତଖତ ଅଭିଯାନ ଚାଲିଥିଲା । ଜିଲାର ଭଦ୍ରକ, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର, ଧାମନଗର, ବନ୍ତ, ଭଣ୍ଡାରିପୋଖରୀ ବ୍ଲକରେଥିବା ବିଭିନ୍ନ ସାମାଜିକ ସଂଗଠନମାନେ ଭାରତ ରତ୍ନ ଉପାଧି ପାଇଁ ହଜାର ହଜାର ଜନସାଧାରଣଙ୍କ ନିକଟରୁ ଦସ୍ତଖତ ସଂଗ୍ରହ କରିଛନ୍ତି ।

ଏହି ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ଜିଲାପାଳଙ୍କ ଜରିଆରେ ପଠାଯିବ ବୋଲି ଜଣାଯାଇଛି । ଉକ୍ରଳମଣି ଗୋପବନ୍ଧୁ ଓଡ଼ିଶାରେ ଜନ୍ମଗ୍ରହଣ କରି ସମଗ୍ର ବିଶ୍ୱରେ ସମାଜସେବୀ, ଶିକ୍ଷା, ସ୍ୱାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିବା ସହିତ ଅନ୍ଧବିଶ୍ୱାସ ଦୂରକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥି ସହିତ ଭାରତକୁ ସ୍ୱାଧୀନତା ଆଣିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଭାଷା ସାହିତ୍ୟର ପ୍ରଚାରକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଏଥି ସହିତ ସେ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରି ଜନସାଧାରଣଙ୍କ ସମସ୍ୟାକୁ ଦୂର କରିଥିଲେ । ଗୋପବନ୍ଧୁ ସେବା ସଂଘ, ନବଜୀବନ ଫାଉଣ୍ଡେସନ, ଜୀବନଜ୍ୟୋତି ସଂଗଠନ, ଉକ୍ରଳମଣି ସଂଗଠନ, ତିହିଡ଼ି ଯୁବମଞ୍ଚ, ୟୁଥ୍‌ ଇଣ୍ଡିଆ, ପ୍ରଦେଶ ସେବା ସଂଗଠନ, ଜାଗ୍ରତ ସେନା, ଇଣ୍ଡିଆ ଓରିୟରସ, ବିପଦବନ୍ଧୁ ସେବା ସଂଗଠନ, ଭାଇ ଭାଇ ସଂଗଠନ, ଏମବିଏସୱାଇ, ନବନିର୍ମାଣ ଯୁବଛାତ୍ର ସଂଗଠନ, ଯୁବ ଆର୍ଯ୍ୟ ସମାଜ ପ୍ରମୁଖଙ୍କ ସମେତ ବହୁ ସଂଗଠନର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.