ଏନ୍‌ଏମ୍‌ଏ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

158
– ଡ୍ରାଫ୍ଟ  ବାଇ-ଲ’ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ
ଭୁବନେଶ୍ୱର: ଶ୍ରୀଜୀଉ, ସେବାୟତ ଏବଂ ଭକ୍ତମାନଙ୍କର ସ୍ୱାର୍ଥରକ୍ଷା ପ୍ରତି ଦୃଷ୍ଟି ଦେଇ ଡ୍ରାଫ୍ଟ ୍ ବାଇ-ଲ’ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରିନେବା ଲାଗି ଅନୁରୋଧ କରି ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଜାତୀୟ କୀର୍ତିରାଜି କର୍ତୃପକ୍ଷ (ଏନ୍‌ଏମ୍‌ଏ)କୁ ପତ୍ର ଲେଖିଛନ୍ତି ।
କ୍ରିଷନ୍ କୁମାର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅନାଦି କାଳରୁ ଶ୍ରୀଜଗନ୍ନାଥ ଓଡ଼ିଆ ଏବଂ ଭାରତ ତଥା ସମଗ୍ର ବିଶ୍ୱର କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ହୋଇଥିବାରୁ ସେମାନଙ୍କର ବିଶ୍ୱାସ, ଧର୍ମଧାରା ଓ ଅଧ୍ୟାତ୍ମିକତାରେ କର୍ତୃପକ୍ଷମାନେ ହସ୍ତକ୍ଷେପ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଶ୍ରୀମନ୍ଦିର ଏବଂ ଏହାର ସମସ୍ତ ସମ୍ପତି ଶ୍ରୀଜଗନ୍ନାଥଙ୍କର । ଜମିପଟ୍ଟାରେ ମଧ୍ୟ ଏହାର ରେକର୍ଡ ରହିଛି । ମନ୍ଦିର, ସେବାୟତ ଏବଂ ପ୍ରଭୁଙ୍କର ସମସ୍ତ ସମ୍ପତିର ପରିଚାଳନା ନିମନ୍ତେ ‘ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫’ ଆଧାରେ ‘ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି’ (ଏସ୍‌ଜେଟିଏମ୍‌ସି) ଗଠନ କରାଯାଇଛି ।
ପୁରାତନ କୀର୍ତିରାଜିଗୁଡ଼ିକର ସଂରକ୍ଷଣ ନିମନ୍ତେ ୧୯୭୯ ମସିହା ଅଗଷ୍ଟ ୨୨ ତାରିଖରେ ‘ଏସ୍‌ଜେଟିଏମ୍‌ସି’ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସହ ରାଜିନାମା କରିଥିଲା । ସେତେବେଳେ ମଧ୍ୟ ମନ୍ଦିରର କେତେକ ସଂରକ୍ଷଣ ନିମନ୍ତେ ସବୁଦିଗକୁ ଧ୍ୟାନ ଦିଆଯାଇ ଏହି ରାଜିନାମାରେ ‘ଏସ୍‌ଜେଟିଏମ୍‌ସି’ ଓ ‘ଏଏସ୍‌ଆଇ’ର କର୍ତବ୍ୟ ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଥିଲା ।
 ମନ୍ଦିର ଚଉହଦି ପ୍ରାଚୀନ କାଳରୁ ଅନେକ ଜନବସତି ବା ସାହି ରହିଆସିଛି । ଏସବୁ ମୁଖ୍ୟତଃ ସେବାୟତମାନଙ୍କ ପରିବାରବର୍ଗଙ୍କର । ଏହି ‘ଡ୍ରାଫ୍‌ଟ୍ ନୋଟିଫିକେସନ୍‌’ ଲାଗୁହେଲେ ସେମାନଙ୍କର ଅବସ୍ଥିତି ଭୀଷଣ ପ୍ରଭାବିତ ହେବ । ସେବାୟତମାନଙ୍କ ଉପରେ କୁପ୍ରଭାବ ପଡ଼ିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ବ୍ୟାହତ ସୃଷ୍ଟି ହେବ । ତେଣୁ ଏହାପୂର୍ବରୁ ‘ଏନ୍‌ଏମ୍‌ଏ’ କର୍ତୃପକ୍ଷମାନେ ସେମାନଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।
ଏହି ପ୍ରାଚୀନ ଧର୍ମପୀଠର ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ନମନ୍ତେ ନିକଟରେ ରାଜ୍ୟ ସରକାର ମଧ୍ୟ ‘ଶ୍ରୀଜଗନ୍ନାଥ ହେରିଟିଜ୍ କରିଡର’ ନିମନ୍ତେ ଜମି ଅଧିଗ୍ରହଣ କରିଛନ୍ତି । ଏଥିରେ ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ଅନେକ ସୁବିଧା କରାଯିବ । ତେଣୁ, ଉପରୋକ୍ତ ସବୁ ଦିଗରୁ ବିଚାର କରି ଜାତୀୟ କୀର୍ତିରାଜି କର୍ତୃପକ୍ଷ (ଏନ୍‌ଏମ୍‌ଏ) ଜାରି କରିଥିବା ଡ୍ରାଫ୍ଟ୍ ବାଇ-ଲ’ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଡକ୍ଟର କୁମାର କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତିରାଜି କର୍ତୃପକ୍ଷ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ବାଇ-ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି । ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଂଚଳ ପାଇଁ କଟକଣା ଜାରି ହେବ । ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଂଚଳ ଭାବେ ଘୋଷଣା ହେବ ।
Leave A Reply

Your email address will not be published.