ମହାରାଷ୍ଟ୍ରରେ ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୯ ହଜାର ଆକ୍ରାନ୍ତ ଚିହ୍ନଟ
ମୁମ୍ବଇ: ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପାଖାପାଖି ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୮ ରୋଗୀ ୱାସିମ ଜିଲ୍ଲାର । ନୂତନ କରୋନା ରୋଗୀଙ୍କ ମଧ୍ୟରୁ ୧୯୦ ଜଣ ୱାସିମ ଜିଲ୍ଲାର ଏକ ସ୍କୁଲର ୧୯୦ ପିଲା ସାମିଲ ଅଛନ୍ତି । ଏହି ଛାତ୍ରମାନେ ଅମରାବତୀର ବିଭିନ୍ନ ଅଞ୍ଚଳରୁ ହଷ୍ଟେଲକୁ ଆସିଥିଲେ । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮ହଜାର ୮୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୨୦ ଅକ୍ଟୋବର ୧୮ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମଥର ଲାଗି ବଢିଛି ବୋଲି କୁହାଯାଉଛି । ସେହିପରି ଗୋଟିଏ ଦିନରେ ରାଜ୍ୟରେ ୮୦ ଜଣଙ୍କ ଜୀବନ ଯାଇଛି । ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର ।
ଓଡ଼ିଶା ଫେରନ୍ତାଙ୍କ ଉପରେ କଡ଼ା ନଜର:
ଦେଶରେ ଲାଗି ରହିଥିବା କରୋନାର କଡ଼ଲେଉଟାଣି ଭିତରେ ପୁଣି ପଶିଲାଣି ଛନକା । ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ସେ ଓଡ଼ିଶାର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି । ରାଜ୍ୟର ଦୁଇଟି ଏୟାରପୋର୍ଟ ଯଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ, ପୂର୍ବତଟ ରେଲେୱେ ବିଭାଗଙ୍କୁ ଚିଠି ଲେଖି ଓଡ଼ିଶା ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କହିଛନ୍ତି । ସେସବୁ ରାଜ୍ୟଗୁଡ଼ିକ ହେଉଛି, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ।
ଫେରନ୍ତାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହ ଏୟାରପୋର୍ଟ ଏବଂ ରେଳଷ୍ଟେସନ୍ଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ କୌଣସି ଲକ୍ଷଣ ଦେଖାଯିବ କିମ୍ବା ଜ୍ୱର ଥିବ, ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଜଣାପଡ଼ିବେ । ତାଙ୍କୁ ବିଧିବ୍ୟବସ୍ଥା ଅନୁଯାୟୀ ଆଇସୋଲେସନ୍ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର । କାରଣ କଡ଼ ଲେଉଟାଇ ପୁଣି କୋପ କଲାଣି କରୋନା । ଭିତରେ ଭିତରେ ଚୋଟ ମାରିବାକୁ ପୁଣି ଫଣା କାଢ଼ିଲାଣି ମହାମାରୀ । ଛନକାଇଲା ଭଳି ଆଜିର କୋଭିଡ୍ ତଥ୍ୟ ଆସିଛି । ଦେଶରେ ଦିନକରେ ୧୫ ହଜାର ଉପରେ ପଜିଟିଭ୍ ଗ୍ରାଫ୍ ଛୁଇଁଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୬, ୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୩୮ଜଣଙ୍କ ପ୍ରଣହାନୀ ଘଟିଛି ।