ମାଓବାଦୀ – ଯବାନ ଗୁଳି ବିନିମୟ : ବିପୁଳ ମାଓ ସାମଗ୍ରୀ ଜବତ

178

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ କଲାମପଡ଼ା ଜଙ୍ଗଲରେ ମାଓବାଦୀ ଓ ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗତ ୪ ତାରିଖରେ ସମ୍ପୃକ୍ତ ଅଂଚଳରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଓ ଡ଼ିଭିଏଫ ଯବାନ ମାନଙ୍କ ମିଳିତ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା ।
୫ ତାରିଖ ସକାଳ ସମୟରେ କୁମ୍ବିଂ ଅପରେସନ ଜାରୀ ରହିଥିବା ବେଳେ ମାଓବାଦୀଙ୍କ ସହିତ ଯବାନ ମାନେ ମୁହାଁମୁହିଁ ହୋଇଥିଲେ । ଯବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଯବାନ ମାନେ ନିଜେ ସୁରକ୍ଷିତ ସ୍ଥାନରେ ରହିବା ସହ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ଚେତାବନୀ ଦେବା ସତ୍ୱେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା ଜାରୀ ରହିଥିଲା । ଫଳରେ ଯବାନ ମାନେ ପାଲଟା ଗୁଳିଚାଳନା କରିଥିଲେ । ତେବେ ଘଂଚ ଜଙ୍ଗଲ ଓ ଭୌଗୋଳିକ ସ୍ଥିତିର ଫାଇଦା ଉଠାଇ ମାଓବାଦୀ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ ।

ଘଟଣା ପରେ ଯବାନ ମାନେ ସେଠାରେ ସର୍ଚ୍ଚ ଅପରେସନ ବେଳେ ଦୁଇଟି ସୋଲାର ପ୍ଲେଟ୍‌, ତାର ଏକ ବଣ୍ଡଲ, ମାଓବାଦୀ ମାନେ ବ୍ୟବହାର କରୁଥିବା ଦୁଇଟି ବ୍ୟାଗ୍ ଅନ୍ୟାନ୍ୟ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ୨୦ରୁ ୨୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରେ କେକେବିଏନ ଡ଼ିଭିଜନର ମାଓନେତା ବାସୁରୁ ସମେତ ୨୦ରୁ ୨୫ ଜଣ ମାଓବାଦୀଙ୍କ ଉପସ୍ଥିତି ରହିଥିବା ନେଇ ଏସପି ଭିନୀତ ଅଗ୍ରଓ୍‌ବାଲ ଆଜି ମଧ୍ୟାହ୍ନରେ ଏସପି ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଯବାନ ମାନଙ୍କ ମଧ୍ୟରୁ କେହି ମୃତାହତ ହୋଇନଥିବା ବେଳେ ମାଓବାଦୀ ମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି । ସମ୍ପୃକ୍ତ ଅଂଚଳ ସମେତ ଜିଲ୍ଲାର ମାଓ ଗତିବିଧି ରହିଥିବା ବିଭିନ୍ନ ଅଂଚଳରେ କୁମ୍ବିଂ ଅପରେସନ ଜାରୀ ରହିଛି ।

Leave A Reply

Your email address will not be published.