୨୬.୬୮ କୋଟି ଡୋଜରୁ ଅଧିକ ଟିକା ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ଦିଆଯାଇଛି
-ଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳମାନଙ୍କ ପାଖରେ ଉପଲବ୍ଧ ଅଛି ୧.୪୦ କୋଟିରୁ ଅଧିକ ଡୋଜ
ନୂଆଦିଲ୍ଲୀ : ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ ।
କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି । ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରୀ ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।
ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୬.୬୮ କୋଟି ଡୋଜରୁ ଅଧିକ (୨୬,୬୮,୩୬,୬୨୦) ଟିକା ଉପଲବ୍ଧ କରାଇଛନ୍ତି । ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୫,୨୭,୬୬,୩୯୬ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି । ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳମାନଙ୍କ ନିକଟରେ ୧.୪୦ କୋଟି (୧,୪୦,୭୦,୨୨୪) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି । ଏହା ବ୍ୟତୀତ, ବର୍ତ୍ତମାନ ୯୬,୪୯୦ରୁ ଅଧିକ ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଏହାକୁ ଗ୍ରହଣ କରିବେ ।