ମା ମାନେ ହେଉଛନ୍ତି ଜନ୍ମଜାତ ନେତା – ମୁଖ୍ୟମନ୍ତ୍ରୀ

158

-ବିଜେଡିର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଫୋକସରେ

ଭୁବନେଶ୍ୱର: ମା ମାନଙ୍କୁ ଜନ୍ମଜାତ ନେତା ବୋଲି କହିବା ସହ ବିଜେଡିର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଫୋକସରେ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜେଡି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି ।

ସେ କହିଛନ୍ତି ଯେ ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଐତିହାସିକ ପଦକ୍ଷେପ ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପାଞ୍ଚାୟତ ଓ ପୌର ସଂସ୍ଥା ମାନଙ୍କରେ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ । ମା ମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ।

ମା ମାନେ ହେଉଛନ୍ତି ଜନ୍ମଜାତ ନେତା । ଘରର ଦାୟିତ୍ୱ , ପିଲାଙ୍କ ଦାୟିତ୍ୱ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ୱ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ । ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।

ସେ କହିଛନ୍ତି ଯେ ମା ମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ ୩୩ % ଆସନ ରେ ମା ମାନଙ୍କୁ ଟିକଟ ଦେଇଥିଲୁ ।

ସେ କହିଛନ୍ତି ଯେ ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ । ବିନା ସୁଧ ରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କା ର ଚିକିତ୍ସା ସୁବିଧା, ମା ମାନଙ୍କ କଲ୍‌ଯାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରେଶନ କାର୍ଡ, ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, ୱାର୍କିଂ ମହିଳା ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା ମାନଙ୍କ କଲ୍‌ଯାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.