ଭୁବନେଶ୍ୱର: ରାଜ୍ୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ଏକ ଲୋକାଭିମୁଖୀ ଓ ବିକାଶୋନ୍ମୁଖୀ ବଜେଟ । ଆମ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରାପଥରେ ବଜେଟ୍ ସହାୟକ ହେବ । ଗତବର୍ଷର ଅଧିକାଂଶ ସମୟ କୋଭିଡ୍ ଲକଡାଉନରେ ହରାଇଥିଲୁ । ସେଭଳି ସ୍ଥିତିରୁ ବର୍ତ୍ତମାନର ୧.୭୬ଲକ୍ଷ କୋଟି ବଜେଟ୍ ଉପସ୍ଥାପନ ନିଶ୍ଚିତ ଭାବେ ଚମତ୍କାରୀ ବୋଲି କୁହାଯାଇପାରିବ । ବଜେଟରେ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୪୪ ହଜାର କୋଟି ଋଣ କରିବେ ସରକାର :
ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ରାଜସ୍ୱ ସଂଗ୍ରହ ୧ଲକ୍ଷ ୨୫ହଜାର ୬୦୦କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ଆଦାୟ କରାଯିବ । ତେବେ ନିଟ୍ ପରିମାଣ ୧୮ ହଜାର ୪୬୫କୋଟି ରହିବ । ଧାର୍ଯ୍ୟ ୧ଲକ୍ଷ ୨୫ହଜାର କୋଟି ରାଜସ୍ୱ ମଧ୍ୟରୁ ୩୭,୫୦୦ କୋଟି ସରକାରଙ୍କ ନିଜସ୍ୱ ଟିକସ ସଂଗ୍ରହ, ୨୦ହଜାର କୋଟିର ଅଣଟିକସ ରାଜସ୍ୱ ସଂଗ୍ରହ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ୩୦ହଜାର ୧୩୭କୋଟି ରହିବ । ସେହିପରି ଜିଏସ୍ଟି କ୍ଷତିପୂରଣ ଓ କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ରାଜ୍ୟ ସରକାର ୩୭ହଜାର ୯୬୩କୋଟି ଟଙ୍କା ପାଇବେ । ଏଥର ରାଜ୍ୟର ଆର୍ଥିକ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ଅଟକଳ କରାଯାଉଛି ।