କୋହଳ ହୋଇପାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଟକଣା

152

ପୁରୀ: କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ·ଲିଛି ବି·ରବିମର୍ଶ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯିବ ନାଁ ପ୍ରତ୍ୟାହାର କରାଯିବ ସେଥିନେଇ ଆଲୋଚନା ଚାଲିଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଏବଂ ଏସ୍ିଙ୍କୁ ନେଇ ଖୁବ୍ଶୀଘ୍ର ଏକ ବୈଠକ ବସିବ । ଦର୍ଶନ ବ୍ୟବସ୍ଥାବଳୀ (ଏସ୍ଓପି) ସମ୍ପର୍କରେ ସମୀକ୍ଷା କରାଯିବ । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବାରୁ ଅଧିକାଂଶ ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀରେ ପର୍ଯ୍ୟଟକଙ୍କ କୋଭିଡ ପରୀକ୍ଷା ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇନାହିଁ । ତେଣୁ କୋଭିଡ ରିପୋର୍ଟ ପାଇଁ ପର୍ଯ୍ୟଟକଙ୍କୁ ଭୁବନେଶ୍ୱର ଦୌଡିବାକୁ ପଡୁଛି । ଦିନକୁ ପ୍ରାୟ ୧୭ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ୧୫ଶହରୁ ୨୫ଶହ ଲୋକ ଦର୍ଶନ ସୁଯୋଗ ପାଉଛନ୍ତି । ଭକ୍ତଙ୍କ ସଂଖ୍ୟା ହ୍ରାସ ଯୋଗୁଁ ମାର୍କେଟ ଛକରୁ ନିର୍ମିତ ହୋଇଥିବା ବ୍ୟାରିକେଡ୍ ମରିଚିକୋଟ୍ ଛକକୁ ଘୁଞ୍ଚାଇ ଦିଆଯାଇଛି । ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇ ନଥିବା ବେଳେ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ତାହାକୁ କଡାକଡି କରାଯାଇଛି । ଏଥିଯୋଗୁଁ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ସର୍ତ୍ତ ପ୍ରତ୍ୟାହାର କିମ୍ବା ପର୍ଯ୍ୟଟକଙ୍କ ପାଇଁ ଜିଲ୍ଲା ସଦର ହସ୍ପିଟାଲରେ ମାଗଣା କୋଭିଡ ପରୀକ୍ଷା ବ୍ୟବସ୍ଥା କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ଭକ୍ତଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କରୋନା କଟକଣା କୋହଳ କରିବା ପାଇଁ ପ୍ରଶାସନିକ ସ୍ତରରେ ଶୁକ୍ରବାର ଆଲୋଚନା କରାଯାଇଛି । ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଅଧିକ ଲୋକ ଯେପରି ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଏ ସମ୍ପର୍କରେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି । ଖୁବ୍ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରୁଥିବା ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ।

Leave A Reply

Your email address will not be published.