ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି: ରାତି ୧୦ଟାରେ ଉଠିବ ମହାଦୀପ

172

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜୀଉଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଟ୍ରଷ୍ଟବୋର୍ଡ ବୈଠକ ଶୁକ୍ରବାର ସନ୍ଧ୍ୟାରେ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶ୍ରୀଜୀଉଙ୍କ ଜାଗରଯାତ୍ରା ଓ କେନ୍ଦ୍ର ସରକାରଙ୍କ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍ଏମ୍ଏ)ଉପନିୟମ ଉପରେ ଆଲୋଚନା ହୋଇଥିଲା ।

ପୁରୀ ମନ୍ଦିରରେ ଯେଉଁ ନିୟମ ଅନୁସାରେ ଏନ୍ଏମ୍ଏ ଉପନିୟମ ପ୍ରତ୍ୟାହାର କରାଗଲା ସେହି ନିୟମ ଅନୁସାରେ ଏକାମ୍ରର ଦୁଇ ମନ୍ଦିର ଉପରୁ ଉପନିୟମ ପ୍ରତ୍ୟାହାର କରାଯାଉ । ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିରର ଯେଉଁ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି ସେଥିରେ ବାଧା ସୃଷ୍ଟି କରାନଯାଉ । ଏହାଦ୍ୱାର ସେବାୟତମାନେ ବହୁ କ୍ଷତିଗ୍ରସ୍ତ ହେବେ । ସେମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଉପନିୟମ ପ୍ରତ୍ୟାହାର କରିବାକୁ ଟ୍ରଷ୍ଟବୋର୍ଡ କେନ୍ଦ୍ର ସରକାରଙ୍କ ଆର୍କୋଲୋଜି ସର୍ଭେ ଅଫ୍ ଇଣ୍ଡିଆଙ୍କୁ ଅବଗତ କରାଇବ ।

ଏହାସହ ଏଏସ୍ଆଇ ଏକାମ୍ରର କେଉଁ କେଉଁ ମନ୍ଦିର ମରାମତି ଓ ସୁରକ୍ଷା ପାଇଁ ଆର୍ଥିକ ବଜେଟ ପ୍ରସ୍ତୁତ କରୁଛି ସେ ସମ୍ପର୍କରେ ବୋର୍ଡକୁ ଜଣାଇବାକୁ କୁହାଯାଇଛି । ଏହାବ୍ୟତୀତ ଶ୍ରୀଜୀଉଙ୍କ ଜାଗର ଯାତ୍ରା ସୁରୁଖୁରୁରେ ବିଏମ୍ସି କମିସନରଙ୍କ କୋଭିଡ ମାର୍ଗଦର୍ଶିକା ଅନୁସାରେ ପାଳନ କରିବାକୁ ବୋର୍ଡ ଗୁରୁତ୍ୱ ଦେଇଛି । ଜାଗର ଯାତ୍ରାରେ ମହାଦୀପ ରାତି ୧୦ଟାରେ ଉଠିବା ସହ ପୂର୍ବବର୍ଷର ନୀତିର୍ନିଘଣ୍ଟ ଅନୁସାରେ ଅନ୍ୟାନ୍ୟ ନୀତି ପାଳନ କରିବାକୁ ବୈଠକରେ ସ୍ଥିର କରାଯାଇଛି ।

ବୈଠକରେ ସେବାୟତଙ୍କ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ସେମାନଙ୍କ ଅଭିଯୋଗ ସେବାସୂତ୍ରେ ପାଇଥିବା ବନ୍ଦୋବସ୍ତ ଜମିକୁ ଏବେ ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯାଉଥିବାରୁ କୌଣସି ପ୍ରମାଣ ରହୁନି । ଏସମ୍ପର୍କରେ ସେବାୟତମାନେ ସେମାନଙ୍କ ଅଭିଯୋଗ ନିଯୋଗ ଜରିଆରେ ଟ୍ରଷ୍ଟବୋର୍ଡ ସଭାପତିଙ୍କ ଦୃଷ୍ଟିକୁ ଆସନ୍ତା ୧୮ ତାରିଖ ସୁଦ୍ଧା ଆଣିବେ । ଆଇନ ଅନୁସାରେ ସଭାପତିଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ କୋର୍ କମିଟି ତର୍ଜମା କରିବା ପରେ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି ।

ବୈଠକରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ବିଏମ୍ସି ଅତିରିକ୍ତ କମିସନର ଅବନୀକାନ୍ତ ପଟନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ସରକାରୀ ଆଇନଜୀବୀ ରୁଦ୍ରପ୍ରସାଦ ନନ୍ଦ, ଆଇନଜୀବୀ ମାନସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ସେବାୟତ ନିଯୋଗର ସଦସ୍ୟମାନେ ଯୋଗଦେଇନଥିଲେ ।

Leave A Reply

Your email address will not be published.