୫୧ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ

172

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ ତମ ସଂସ୍କରଣରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ଶ୍ରୀ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଏହି ମହୋତ୍ସବର ଉଦଘାଟନୀ ସମାରୋହ ଅବସରରେ ପୁରସ୍କାର ଘୋଷଣା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରି କହିଥିଲେ ଯେ ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଦିଆଯିବ । ‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ ‘କିସ୍ମତ’ ଚଳଚ୍ଚିତ୍ରରେ ଭିକ୍କି ଭୂମିକାରେ ଅଭିନୟ ପାଇଁ ବିଶ୍ୱଜିତ୍ ଚାଟାର୍ଜୀ ବିଶେଷ ପ୍ରସିଦ୍ଧି ହାସଲ କରିଛନ୍ତି। ଆଶା ପାରେଖ, ୱାହିଦା ରେହମାନ, ମୁମତାଜ, ମାଲା ସିହ୍ନା ଓ ରାଜଶ୍ରୀଙ୍କ ବିଶିଷ୍ଟ ଅଭିନେତ୍ରୀଙ୍କ ସହିତ ତାଙ୍କ ଯୋଡ଼ି ବେଶ ଲୋକପ୍ରିୟ ହୋଇଥିଲା। ତାଙ୍କ ଅଭିନୀତ ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ଚୌରଙ୍ଘୀ (୧୯୬୮) ଏବଂ ଉତ୍ତମ କୁମାରଙ୍କ ସହିତ ଗଡ଼ ନସୀମପୁର ଓ କୁହେଲି । ଏହାପରେ ଶ୍ରୀମାନ ପୃଥ୍ବୀରାଜ (୧୯୭୩), ଜୟ ବାବା ତାରକନାଥ (୧୯୭୭) ଏବଂ ଅମର ଗୀତୀ (୧୯୮୩) ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। 1975ରେ ବିଶ୍ୱଜିତ୍ ନିଜ ଅଭିନୟ କରିଥିବା ଚଳଚ୍ଚିତ୍ର ‘କେହତେ ହୈ ମୁଝକୋ ରାଜା’ର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ। ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ସେ ଜଣେ ଗାୟକ ଓ ନିର୍ମାତା ମଧ୍ୟ ରହିଆସିଛନ୍ତି।

Leave A Reply

Your email address will not be published.