କୋଭିଡ-୧୯ ମହାମାରୀ ସତ୍ତ୍ବେ ୩.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଛି କୃଷି କ୍ଷେତ୍ର

187

ନୂଆଦିଲ୍ଲୀ: କୃଷି କ୍ଷେତ୍ର ଉଲ୍ଲେଖନୀୟ ସହନଶୀଳତା ପ୍ରଦର୍ଶନ କରିଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଗତିବିଧି ବର୍ଷ ୨୦୨୦-୨୧ରେ (ପ୍ରଥମ ଅଗ୍ରୀମ ପୂର୍ବାନୁମାନ)  ସ୍ଥିର ମୂଲ୍ୟ ସହିତ ୩.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।

ସିଏସଓଙ୍କ ଦ୍ବାରା ୨୯ ମେ, ୨୦୨୦ ରେ ଉପସ୍ଥାପନ କରାଯାଇଥିବା ଜାତୀୟ ଆୟ ସଂକ୍ରାନ୍ତ ତଥ୍ୟ ଆଧାରରେ ଆର୍ଥିକ ସର୍ବେକ୍ଷଣ ରେ ଉଲ୍ଲେଖ କରାଯାଇଛି ଯେ ୨୦୧୯-୨୦ରେ ଦେଶରେ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ)ରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଯୋଗଦାନ ୧୭.୮ ପ୍ରତିଶତ ରହିଥିଲା।

ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ

୨୦୧୯-୨୦ରେ କୃଷି କ୍ଷେତ୍ରର ଅର୍ଥନୈତିକ ସର୍ବେକ୍ଷଣ (ଚତୁର୍ଥ ଅଗ୍ରୀମ ପୂର୍ବାନୁମାନ) ଅନୁଯାୟୀ ଦେଶରେ ୨୯୬.୬୫ ମିଲିୟନ ଟନ ଖାଦ୍ୟ ଶସ୍ୟ ଉତ୍ପାଦିତ ହୋଇଥିଲା। ଯାହାକି ୨୦୧୮-୧୯ରେ ଉତ୍ପାଦିତ ଖାଦ୍ୟଶସ୍ୟ ପରିମାଣ ୨୮୫.୨୧ ମିଲିୟନ ଟନ ଠାରୁ ୧୧.୪୪ ମିଲିୟନ ଟନ ଅଧିକ।

କୃଷି ରପ୍ତାନି

ବର୍ଷ ୨୦୧୯-୨୦ର ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ, ଭାରତର କୃଷି ଏବଂ ଆନୁସଙ୍ଗିକ ସାମଗ୍ରୀ ରପ୍ତାନି ପରିମାଣ ପାଖାପାଖି ୨୫୨ ହଜାର କୋଟି ଟଙ୍କା ରହିଛି। ଭାରତରୁ ସର୍ବାଧିକ ରପ୍ତାନି ଆମେରିକା, ସାଉଦୀ ଆରବ, ଇରାନ, ନେପାଳ ଓ ବାଂଲାଦେଶକୁ କରାଯାଇଛି। ଭାରତ ପକ୍ଷରୁ ଅନ୍ୟ ଦେଶଗୁଡ଼ିକୁ ପଠାଯାଉଥିବା କୃଷିଜାତ ଦ୍ରବ୍ୟ ମଧ୍ୟରେ ମାଛ, ସାମୁଦ୍ରିକ ସମ୍ପତ୍ତି, ବାସୁମତୀ ଚାଉଳ, ମଇଁଷି ମାଂସ, ମସଲା, ସାଧାରଣ ଚାଉଳ, କଞ୍ଚା କପା, ତେଲ, ଚିନି ଓ ଚା’ ଆଦି ରହିଛି। କୃଷି ଆଧାରିତ ଏବଂ ଆନୁସଙ୍ଗିକ ସାମଗ୍ରୀ ରପ୍ତାନିରେ ଭାରତର ସ୍ଥିତି ବିଶ୍ବସ୍ତରରେ ଅଗ୍ରଣୀ ରହିଆସିଛି। ଏହି କ୍ଷେତ୍ରରେ ବିଶ୍ବର ପାଖାପାଖି ୨.୫ ପ୍ରତିଶତ ରପ୍ତାନି ଭାରତରୁ ହିଁ କରାଯାଇଥାଏ।

ସର୍ବନିମ୍ନ ସହାୟକ ମୂଲ୍ୟ

ଆର୍ଥିକ ସର୍ବେକ୍ଷଣରେଆହୁରି କୁହାଯାଇଛି ଯେ  ୨୦୧୮-୧୯ ବଜେଟରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଫସଲର ବାସ୍ତବିକ ବ୍ୟୟ ତୁଳନାରେ ଦେଢ଼ଗୁଣା ଅଧିକ ରଖିବା ଲାଗି ଘୋଷଣା କରାଯାଇଥିଲା। ଏହି ନୀତି ଉପରେ ଆଗକୁ ବଢ଼ି ଭାରତ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଖରିଫ ଏବଂ ରବି ଫସଲ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।

କୃଷି ସଂସ୍କାର

ନିକଟରେ ଗ୍ରହଣ କରାଯାଇଥିବା କୃଷି ସଂସ୍କାର ସମ୍ପର୍କରେ ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ ତିନୋଟି ନୂଆ ଆଇନକୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଅଧିକ ଲାଭ ଦେବା ସକାଶେ ପ୍ରସ୍ତୁତ କରାଯାଇଛି।  ଏପରି କୃଷକମାନଙ୍କ ସଂଖ୍ୟା ଦେଶର ସମୁଦାୟ କୃଷକଙ୍କ ସଂଖ୍ୟାର ୮୫ ପ୍ରତିଶତ ହୋଇଥିବା ବେଳେ ଏମାନଙ୍କର ଫସଲ କେବଳ ଏପିଏମସି ଆଧାରିତ ମଣ୍ଡିରେ ବିକ୍ରି କରାଯାଇଥାଏ। ନୂଆ କୃଷି ଆଇନ ଲାଗୁ ହେବା ଫଳରେ କୃଷକମାନଙ୍କୁ ବଜାର ପ୍ରତିବନ୍ଧକରୁ ମୁକ୍ତି ମିଳିବ ଏବଂ କୃଷି କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବ। ଏହାଫଳରେ ଭାରତର କୃଷକମାନଙ୍କୁ ଅଧିକ ଲାଭ ମିଳିବ ଏବଂ ସେମାନଙ୍କର ଜୀବନଧାରଣ ମାନରେ ସୁଧାର ଆସିବ।

ଆତ୍ମନିର୍ଭର ଭାରତ ଅଭିଯାନ

ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କୃଷି ଏବଂ ଖାଦ୍ୟ ପରିଚାଳନା କ୍ଷେତ୍ରରେ ଅନେକ ବଡ଼ ଘୋଷଣା କରାଯାଇଛି। କୃଷି ଭିତ୍ତିଭୂମି ନିର୍ମାଣ ଲାଗି ଏକ ଲକ୍ଷ କୋଟି ଟଙ୍କାର ଅର୍ଥରାଶି ସୁନିଶ୍ଚିତ କରାଯାଇଛି। ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ (ଏମଏଫଇ)ର ପ୍ରତିଷ୍ଠା ଲାଗି ୧୦ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସଓ୍ବାଇ) ଲାଗି ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।  ଜାତୀୟ ପଶୁରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତଥା ପଶୁପାଳନ ଢାଞ୍ଚା ନିର୍ମାଣ ବିକାଶ ଲାଗି ୧୫ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ଏହାବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, କୃଷି ବିପଣନ ଏବଂ କୃଷି ଉତ୍ପାଦ ମୂଲ୍ୟ ତଥା ଗୁଣବତ୍ତା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା; ଏବଂ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଆରମ୍ଭ କରାଯାଇଛି।

କୃଷି ଋଣ

ଆର୍ଥିକ ସର୍ବେକ୍ଷଣ ଅନୁସାରରେ ଭାରତର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ବ୍ୟାପକ ପରିମାଣର ଆଥିର୍କ ସହାୟତା ଉପଲବ୍ଧ କରାଯାଇଛି। କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ଗତିବିଧି ସୁଚାରୂ ରୂପେ ଚଳାଇବା ସମୟରେ ଋଣ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଇଛି।୨୦୧୯-୨୦ ବର୍ଷରେ ୧୩ ଲକ୍ଷ ୫୦ ହଜାର କୋଟି ଟଙ୍କାର କୃଷି ଋଣ ଧାର୍ଯ୍ୟ କରାଯାଇଥିବା ବେଳେ କୃଷକମାନଙ୍କୁ ୧୩,୯୨,୪୬୯.୮୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ୨୦୨୦-୨୧ରେ ୧୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଥିଲା । ୩୦ ନଭେମ୍ବର, ୨୦୨୦ ସୁଦ୍ଧା ୯୭,୩୫୧୭.୮୦ କୋଟି ଟଙ୍କାର ଋଣ କୃଷକମାନଙ୍କୁ ଉପଲବ୍ଧ କରାଯାଇଛି। ଆର୍ଥିକ ସମୀକ୍ଷାରେ କୁହାଯାଇଛି ଯେ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶବିଶେଷ ସ୍ବରୂପ କୃଷି ଭିତ୍ତିଭୂମି ବିନିର୍ମାଣ ପାଣ୍ଠି ଅନ୍ତର୍ଗତ ଦିଆଯିବାକୁ ଥିବା ଋଣ କୃଷି କ୍ଷେତ୍ରକୁ ଆହୁରି ଅଧିକ ଲାଭ ପହଞ୍ଚାଇବ।

ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ ଫେବୃଆରୀ ୨୦୨୦ ବଜେଟରେ ଘୋଷଣା ଅନୁରୂପ କିଷାନ କ୍ରେଡିଟ କାର୍ଡକୁ ପ୍ରୋତ୍ସାହନ ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶବିଶେଷ ସ୍ବରୂପ ଦୁଗ୍ଧ ସମବାୟ ସଂସ୍ଥା ଏବଂ ଦୁଗ୍ଧ ଉତ୍ପାଦକ କମ୍ପାନୀଗୁଡ଼ିକର ଦେଢ଼ କୋଟି ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଯୋଗାଇ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଜାନୁଆରୀ, ୨୦୨୧ ମଧ୍ୟଭାଗ ସୁଦ୍ଧା ମୋଟ ୪୪,୬୭୩ କିଷାନ କ୍ରେଡିଟ କାର୍ଡ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ପାଳକମାନଙ୍କୁ ଯୋଗାଇ ଦିଆଯାଇଛି। ଆହୁରି ୪.୦୪ ଲକ୍ଷ ଆବେଦନ ବ୍ୟାଙ୍କରେ ଅନୁମୋଦନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ରହିଛି।

Leave A Reply

Your email address will not be published.