ଉପଭୋକ୍ତା ଭରଣା କରୁଛନ୍ତି ବିଦ୍ୟୁତ୍‌ କମ୍ପାନୀର କ୍ଷତି

202

ଭୁବନେଶ୍ୱର : ବିଦ୍ୟୁତ୍‌ କ୍ଷତି ରୋକିବାକୁ ଯେତେ ଯାହା ଉଦ୍ୟମ କଲେ ବି ସେଥିରେ ଶକ୍ତି ବିଭାଗ ସଫଳ ହେଉନାହିଁ । ବିଦ୍ୟୁତ୍‌ ପରିବହନ ଓ ବଣ୍ଟନ ସମେତ ବୈଷୟିକ ଓ ବ୍ୟବସାୟିକ କ୍ଷତି ନେଇ ଯେତିକି ହାର ନିର୍ଦ୍ଧାରଣ କରାଯାଉଛି ତାହାଠାରୁ ଅଧିକ କ୍ଷତି ପରିଲକ୍ଷିତ ହେଉଛି । ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଓ ପରିବହ ଏବଂ ବୈଷୟିକ କ୍ଷତି ନେଇ ମିଳିଥିବା ସୂଚନା ଅନୁଯାୟୀ ୨୦୧୦-୧୧ ବର୍ଷରେ ରାଜ୍ୟରେ ମୋଟ୍‌ ବୈଷୟିକ ଓ ବ୍ୟବସାୟିକ କ୍ଷତି ୪୧.୫୨ ପ୍ରତିଶତ ଥିବାବେଳେ ୨୦୨୧-୨୨ ବର୍ଷରେ ତାହା କମି କମି ୨୬.୨୮ ପ୍ରତିଶତରେ ପହଞ୍ଚିଛି । ଏହି ବର୍ଷରେ ଉପରୋକ୍ତ କ୍ଷତି ୨୨.୦୩ ପ୍ରତିଶତ ହେବ ବୋଲି ନିର୍ଦ୍ଧାରିତ କରାଯାଇଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ବଣ୍ଟନ ଓ ପରିବହନ ଜନିତ କ୍ଷତି ୨୧.୭୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା ।

ରାଜ୍ୟରେ ଥିବା ୪ଟି ଯାକ ବିଦ୍ୟୁତ୍‌ ବିତରଣ କମ୍ପାନୀରେ ସମାନ ଅବସ୍ଥା । ଯେତିକି କ୍ଷତି ହେବ ବୋଲି ନିର୍ଦ୍ଧାରଣ ହେଉଛି ତାହାଠାରୁ ଢେର ଅଧିକ କ୍ଷତି ହେଉଥିବା ଦେଖିବାକୁ ମିଳୁଛି । ୨୦୨୧-୨୨ ବର୍ଷରେ ଟିପିସିଓଡିଏଲରେ ୨୩.୭୦ ପ୍ରତିଶତ ବୈଷୟିକ ଓ ବ୍ୟବସାୟିକ କ୍ଷତି ହେବ ବୋଲି ଆକଳନ ହୋଇଥିବାବେଳେ ହୋଇଛି ୨୫.୧୦ ପ୍ରତିଶତ । ଟିପିଡବ୍ଲ୍ୟୁଓଡିଏଲ୍‌ରେ ଏହି କ୍ଷତି ୨୦.୪୦ ପ୍ରତିଶତ ସ୍ଥାନରେ ୨୬.୮୦ ପ୍ରତିଶତ ହୋଇଥିବା ବେଳେ ଟିପିଏସ୍‌ଓଡିଏଲ୍‌ରେ ୨୫.୭୫ ପ୍ରତିଶତ ସ୍ଥଳେ ୩୨.୧୯ ପ୍ରତିଶତ ଏବଂ ଟିପିଏନ୍‌ଓଡିଏଲ୍‌ରେ ୧୯.୧୭ ପ୍ରତିଶତ ସ୍ଥଳେ ୨୩.୧୩ ପ୍ରତିଶତ କ୍ଷତି ହେଉଛି । ବୈଷୟିକ ଓ ବ୍ୟବସାୟିକ କ୍ଷତି ବାଦ୍‌ ବଣ୍ଟନ ଓ ପରିବହନ କ୍ଷତି ବି ଅଧିକ ରହୁଛି । ବଣ୍ଟନକାରୀ କମ୍ପାନୀମାନେ ଏହାକୁ ଯେଉଁ ହାରରେ ହ୍ରାସ କରିବାକଥା ତାହା କରିପାରୁ ନାହାନ୍ତି ।

ଏଭଳି ବିଦ୍ୟୁତ୍‌ କ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‌କୁ କୋଟି କୋଟି ଟଙ୍କାର ଋଣ ଆଣି ବଣ୍ଟନକାରୀ କମ୍ପାନୀଗୁଡିକୁ ଯୋଗାଇବା ସହିତ କାପେକ୍ସ ଭଳି ଯୋଜନା ବି କାର୍ଯ୍ୟକାରୀ କରୁଛନ୍ତି । ଏହାବାଦ୍‌ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ବି ଅର୍ଥ ଯୋଗାଉଛନ୍ତି । ହେଲେ ଯାହା ଦେଖାଯାଉଛି ବଣ୍ଟନକାରୀ କମ୍ପାନୀଗୁଡିକ ବିଜୁଳି ବିଲ୍‌ ଆଦାୟ କ୍ଷେତ୍ରରେ ଯେତେ ତତ୍ପର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସେତିକ ଆଗ୍ରହ ପ୍ରକାଶ କରୁନାହାନ୍ତି । ସହରାଞ୍ଚଳକୁ ବାଦ୍‌ ଦେଲେ ଗାଁ ଗହଳରେ ବର୍ଷ ବର୍ଷ ଧରି ପୁରୁଣାକାଳିଆ ଟ୍ରାନ୍ସଫର୍ମର, ବିଦ୍ୟୁତ୍‌ ଖୁଣ୍ଟ ଓ ତାର ବଦଳା ଯାଉନାହିଁ । ଏପରିକି ଟ୍ରାନ୍ସଫର୍ମର ଚୋରି ହୋଇଗଲେ ସେହି ସ୍ଥାନରେ ନୂଆ ଟ୍ରାନ୍ସଫର୍ମରଟିଏ ବସାଯାଇ ପାରୁନଥିବା ଖୋଦ୍‌ ବିଧାୟକମାନେ ଅଭିଯୋଗ କରୁଛନ୍ତି ।

ଯେତେବେଳେ ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ପ୍ରସଙ୍ଗ ଆସେ ଓ ବଣ୍ଟନକାରୀ କମ୍ପାନୀମାନେ ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ନିକଟରେ ଗୁହାରି କରିଥାନ୍ତି ସେତେବେଳେ ଆୟୋଗ ଦର ଧାର୍ଯ୍ୟ ସମୟରେ ବୈଷୟିକ ଓ ବ୍ୟବସାୟିକ କ୍ଷତିକୁ ବି·ରକୁ ନେଇଥାନ୍ତି । ହେଲେ ନିର୍ଦ୍ଧାରିତ କ୍ଷତି ଠାରୁ ଯେଉଁ ଅଧିକ କ୍ଷତି ହୁଏ ତାହାକୁ ବଣ୍ଟନକାରୀ କମ୍ପାନୀମାନେ ବହନ କରିଥାନ୍ତି । ଏହାର ବୋଝ ଉପଭୋକ୍ତାଙ୍କ ଉପରେ ପଡୁନଥିବା କୁହାଯାଉଛି । ତେବେ ବିଶ୍ୱବ୍ୟାଙ୍କ ଋଣ ଠାରୁ ଆରମ୍ଭ କରି ବ୍ୟାପକ କେନ୍ଦ୍ରୀୟ ସହାୟତା ସତ୍ତେ୍ୱ ନିର୍ଦ୍ଧାରିତ କ୍ଷତିର ହାର ଅଧିକ ରହୁଥିବାରୁ ଏହାର ବୋଝ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାମାନେ ବହନ କରୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେଣୁ ବଣ୍ଟନକାରୀ କମ୍ପାନୀମାନେ ଏହାର କୈଫତ ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କୁ ଦେବା ଜରୁରୀ ବୋଲି ସେମାନେ ମତ ଦେଉଛନ୍ତି ।

Leave A Reply

Your email address will not be published.