କୃଷକ ପ୍ରତିନିଧି ସରକାରଙ୍କ ସହ ଆଲୋଚନା ପାଇଁ ପହଞ୍ଚିଲେ ଦିଲ୍ଲୀର ବିଜ୍ଞାନ ଭବନରେ
ନୂଆଦିଲ୍ଲୀ: କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି ।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ। ଏହି ବୈଠକରେ ଯୋଗ ଦେବାକୁ ଆନ୍ଦୋଳନରତ କୃଷକମାନଙ୍କର ଏକ ୩୫ ଜଣିଆ ପ୍ରତିନିଧିମଣ୍ଡଳ ସିଙ୍ଗୁ ସୀମା ଦେଇ ଦିଲ୍ଲୀ ଯାଉଛନ୍ତି ।ଏହି ବୈଠକରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ରହିବ ବୋଲି ଆଲୋଚନା ବେଳେ ସରକାର କୃଷକ ପ୍ରତିନିଧିମାନଙ୍କୁ ଅବଗତ କରାଇବେ। ଏହା ସହିତ କୃଷକମାନଙ୍କର ଅନ୍ୟାନ୍ୟ ବିଭିନ୍ନ ଆଶଙ୍କାକୁ ଦୂର କରିବାକୁ ସରକାର ଉଦ୍ୟମ କରିବେ। ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନକୁ ସମର୍ଥନ କରିବା ସହ ଏହା କୃଷକଙ୍କ ହିତ ସାଧନ କରିବ ବୋଲି କହିଥିଲେ । ବିରୋଧୀ ଦଳମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥ ସାଧନ ପାଇଁ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ମୋଦୀ କହିଥିଲେ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ମୋଦୀ ନିଜର ଅଳ୍ପ କିଛି ଶିଳ୍ପପତି ବନ୍ଧୁଙ୍କ ସ୍ବାର୍ଥରକ୍ଷା ପାଇଁ ଏହି ଆଇନ ଆଣିଛନ୍ତି । ଯଥାଶୀଘ୍ର ଏପରି ଆଇନର ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି।