ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ଅଧିବେଶନ: ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି । ଏଣୁ ବାଚସ୍ପତି ଓମ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ । ସଂସଦର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରନ୍ତି । ଏହାସହ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ବାର୍ଷିକ ବଜେଟ୍ ଉପସ୍ଥାପନ କରାଯାଏ । ବଜେଟ୍ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରାଯାଏ । ପରେ ଉପସ୍ଥାପିତ ବଜେଟକୁ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ପରୀକ୍ଷାନିରୀକ୍ଷା ଲାଗି ସଂସଦକୁ ସ୍ଥଗିତ ରଖାଯାଏ । ଷ୍ଟାଣ୍ଡିଂ କମିଟିଙ୍କ ବଜେଟ୍ ଅନୁଧ୍ୟାନ ପରେ ଦ୍ୱିତୀୟ ଅଧିବେଶନ କାଳରେ ବ୍ୟୟମଞ୍ଜୁରି ବିଧେୟକ ଗୃହରେ ଉପସ୍ଥାପନ କରାଯିବା ସହ ଗୃହିତ କରାଯାଇଥାଏ । ଚଳିତ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେବ । ଏଣୁ ସ୍ଥିରିକୃତ କାର୍ଯ୍ୟସୂଚୀ ଅନୁସାରେ ସଂସଦ ସ୍ଥଗିତ ହୋଇଛି ।