-ଶୁଣିଲାନି ପ୍ରଶାସନ ଶେଷରେ ଗାଁ ରାସ୍ତାରେ ହେଲା ଧାନ ଚାଷ
ମାହାଙ୍ଗା : ସ୍ବାଧୀନତାର ୭୪ ପରେ ବି ଅପହଞ୍ଚ ଅଞ୍ଚଳ ହୋଇ ପଡ଼ିଛି ଖୋଦ୍ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ରାସ୍ତା । ଗ୍ରାମାଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ନାନା ପ୍ରକାର ଯୋଜନା କରିଛନ୍ତି । ହେଲେ ଏହାର ବାସ୍ତବତା କେତେ ଯେ ସତ ତାହା ଆପଣ ଏହି ଦୃଶ୍ୟରୁ ଦେଖି ଜାଣି ପାରୁଥିବେ । ଦୀର୍ଘ ବର୍ଷ ଧରି କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ହଳଦିଆ ପଞ୍ଚାୟତ ଇଟାମୁଣ୍ଡଳି ଗ୍ରାମର ୧୩ ନମ୍ୱର ୱାର୍ଡର ବାସିନ୍ଦା । ହେଲେ ନା କାହାର ରହିଛି ନଜର ନା କାହାର ଅଛି କିଛି ଖବର ।
ଖରା ଦିନେ ଏମାନଙ୍କର ଯାତାୟାତରେ କୌଣସି ଅସୁବିଧା ନ ହେଉ ଥିଲେ ବି ବର୍ଷା ଆରମ୍ଭରୁ ଆଣ୍ଠିଏ ଆଣ୍ଠିଏ କାଦୁଆରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ। ବର୍ଷା ଦିନ ଆସିଲେ ନାହିଁ ନଥିବାର ଅସୁବିଧାର ସମ୍ବୁଖୀନ ହୁଅନ୍ତି ଗ୍ରାମବାସି ।
ଏହି ରାସ୍ତା ଦେଇ ମେଡିକାଲ, ଥାନା, ଏବଂ ଅନ୍ୟାନ୍ୟ ସରକାରୀ ଅଫିସକୁ ଯାତାୟାତ ମଧ୍ୟ କରିଥାନ୍ତି । ହେଲେ ଦୁଃଖର ବିଷୟ ଯେ ରାସ୍ତା ଖରାପ ଥିବାରୁ ଗ୍ରାମବାସୀ ମାନେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ବୁଖୀନ ହୁଅନ୍ତି । ବାରମ୍ବାର ପ୍ରଶାସନଙ୍କୁ ଜଣେଇ ଥିଲେ ବି ପ୍ରଶାସନ ଯେମିତି ସବୁ ଜାଣି ଆଖି ବୁଜି ଦେଇଛି । ଏଥିଲାଗି ଆଜି ଗ୍ରାମବାସୀ ରାସ୍ତାରେ ଧାନ ଚାଷ କରିବାକୁ ମଧ୍ୟ ପଛାଇ ନାହାନ୍ତି ।
କେବେ ପଡ଼ିବ ପ୍ରଶାସନର ନଜର ତାହା ଦେଖିବାକୁ ବାକି ରହିଲା ।