ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ : ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା, ସନ୍ଦେହଘେରରେ

167
କଟକ/ଟାଙ୍ଗି: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତ ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି । ପୋଲିସ ଉପସ୍ଥିତିରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ତାଙ୍କ ଶବ ଚିହ୍ନଟ କରିଛନ୍ତି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୯ଟାରୁ ୧୦ ଟା ମଧ୍ୟରେ ନୂଆ ବନ୍ଦାଳ ଛକରେ ଟ୍ରକ୍ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।  ଖବର ପାଇ ପୋଲିସ ଟିମ୍ ସେଠାରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲେ ।
ତେବେ ମୃତକଙ୍କ ଶବ ଚିହ୍ନଟ କରିବା ସମ୍ଭବ ନଥିଲା । ଘଟଣାସ୍ଥଳରୁ ପୋଲିସ ଏକ ମୋବାଇଲ୍‌, ହେଲମେଟ୍ ଓ ଗାଡ଼ି କାଗଜପତ୍ର ଜବତ କରିଥିଲା । ଏହି ମୋବାଇଲରୁ ମିଳିଥିବା ନମ୍ବରକୁ ଭିତି କରି ପୋଲିସ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲା । ପରେ ପରିବାର ଲୋକେ କଟକ ବଡ଼ ମେଡିକାଲରେ ଶବ ଚିହ୍ନଟ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ମାହାଙ୍ଗା ଡ଼ବଲ୍ ମର୍ଡ଼ର ମାମଲାରେ ଅଦ୍ୟାବଧି ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଘଟଣା ପର ଠାରୁ ଫେରାର୍ ଥିଲେ । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଥିଲା । ତେବେ ଏହା ଏକ ଦୁର୍ଘଟଣା ନା ପ୍ରଫୁଲ୍ଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨ ତାରିଖ ସଂନ୍ଧ୍ୟାରେ ସାଲେପୁର କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ଏକ ବାଇକ୍ ଯୋଗେ ନୃତାଙ୍ଗ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ ସେମାନଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଦିବ୍ୟସିଂହଙ୍କ ମୃତ୍ୟୁ ଘଟିଥିଲା ।
Leave A Reply

Your email address will not be published.