ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସିଓପି୨୬ ଅଧ୍ୟକ୍ଷ ଆଲୋକ ଶର୍ମା ଏମପି
ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ଆଲୋକ ଶର୍ମା ଏମପି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସିଓପି୨୬ ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀର ନିର୍ଣ୍ଣୟକାରୀ ସଂସ୍ଥା । ଏହାର ୨୬ତମ ଅଧିବେଶନ ନଭେମ୍ବର ୨୦୨୧ରେ ଗ୍ଲାସଗୋ ଠାରେ ବ୍ରିଟେନ ପକ୍ଷରୁ ଆୟୋଜନ କରାଯିବ ।
ସିଓପି୨୬ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ-ବ୍ରିଟେନ ସହଭାଗିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏବଂ ଆଲୋକ ଶର୍ମା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ପ୍ୟାରିସ ଚୁକ୍ତି ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ସିଓପି୨୬ର ସଫଳ ପରିଣାମ ନିମନ୍ତେ ଗଠନମୂଳକ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଡିସେମ୍ବର ୨୦୨୦ରେ ଅନୁଷ୍ଠିତ ଜଳବାୟୁ ମହତ୍ବାକାଂକ୍ଷା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଶ୍ରୀ ଶର୍ମା ସ୍ମରଣ କରିଥିଲେ ।
ଭାରତ-ବ୍ରିଟେନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।