ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ

173

ମାଲକାନଗିରି: ପାଠ ପଢା ପାଇଁ ସମସ୍ତେ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣ କରିଥାନ୍ତି । କିନ୍ତୁ, ଆମେ ଏଠାରେ ଏମିତି ଏକ ବିଦ୍ୟାଳୟ କଥା କହୁଛୁ ଯାହାର ସାଜସଜ୍ଜା ଏକ ପାର୍କ ସଦୃଶ୍ୟ । ଯେଉଁଠି ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ କରିବା ସହ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ସେଠାକୁ ଯାଇ ନିଜର ଅବସର ବିନୋଦନ କରିବା ସହ ସେଲ୍‌ଫି ଉଠାଇ ପାର୍କର ମଜା ନେଉଛନ୍ତି । ଏପରି କିଛି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାଙ୍ଗିପାଲ୍ଲିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସ୍କୁଲ ଯିବା କଥା ଶୁଣିବା ମାତ୍ରେ ସମସ୍ତଙ୍କ ମଧ୍ୟରେ ଶିକ୍ଷା ଗ୍ରହଣର ଚିନ୍ତାଧାରା ଆସେ । ବିଦ୍ୟାଳୟକୁ ସାଧାରଣତଃ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବା ପାଇଁ ଯାଇଥାନ୍ତି । କିଛି କ୍ଷେତ୍ରରେ ଅନେକ ଶିଶୁ ବିଦ୍ୟାଳୟକୁ ଯିବା ପାଇଁ ଅନିଚ୍ଛା ମଧ୍ୟ ପ୍ରକାଶ କରନ୍ତି । କିନ୍ତୁ, ମାଲକାନଗିରି ଜିଲ୍ଲା ମାଙ୍ଗିପାଲ୍ଲି ଠାରେ ଥିବା ଏହି ସ୍କୁଲର କାହାଣୀ ସମ୍ପୂର୍ଣ୍ଣ ଅଲଗା । ଏହି ବିଦ୍ୟାଳୟକୁ ଆସିବା ମାତ୍ରେ ଶିଶୁ ମାନେ ଆଉ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଦୂର ଗାଁରୁ ମଧ୍ୟ ଅନେକ ଛାତ୍ରଛାତ୍ରୀ ଆସି ଏହି ବିଦ୍ୟାଳୟରେ ରହି ଅଧ୍ୟୟନ କରିଥାନ୍ତି । କାରଣ ବିଦ୍ୟାଳୟଟି ଏଭଳି ଭାବରେ ସଜ୍ଜିତ ହୋଇଛି ସତେ ଯେମିତି ଏହା କୌଣସି ବିଦ୍ୟାଳୟ ନୁହେଁ ଏହା ଏକ ରମଣୀୟ ଉଦ୍ୟାନ ।

ଏହା ଏପରି ଏକ ସ୍କୁଲ ଯାହାକି ଦୂରରୁ ଦେଖିଲେ ଏକ ପାର୍କ ଭଳି ଦୃଶ୍ୟମାନ ହୋଇଥାଏ । ସ୍କୁଲରେ ଶିଶୁ ମାନଙ୍କ ମନ ଜିଣିଲା ଭଳି ଏହାର ଚର୍ତୁପାର୍ଶ୍ବରେ ରହିଛି ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଗଛ ସାଙ୍ଗକୁ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଫୋଟ ଚିତ୍ର । ଏଥି ସହ ସ୍କୁଲରେ ରହିଛି ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଯାହାକି ଶିଶୁ ମାନେ ସକାଳୁ ବିଦ୍ୟାଳୟ ଆସିଲେ ଏକ ମନ୍ଦିର ସଦୃଶ୍ୟ ଦେଖିବାକୁ ପାଇ ସେଠାରେ ପୂଜା କରି ସ୍କୁଲ ମଧ୍ୟରେ ପ୍ରବେଶ କରିଥାନ୍ତି । ସ୍କୁଲର ଏପରି ପରିବେଶକୁ ଦେଖି ଗ୍ରାମର ଶିଶୁ ମାନେ ବିଦ୍ୟାଳୟକୁ ଶିକ୍ଷା ଅଧ୍ୟୟନ କରିବାକୁ ଆଗ୍ରହର ସହ ଆସୁଛନ୍ତି । ବିଦ୍ୟାଳୟର ଏପରି ପରିବେଶ ଯୋଗୁଁ ଶିଶୁ ମାନେ ବେଶ୍ ଆନନ୍ଦରେ ଶିକ୍ଷା ଗ୍ରହଣ କରିବା ସହ ଭଲ ନମ୍ବର ରଖି ପାଶ୍ କରିଥିବା ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

କୁହାଯାଏ, ବିଦ୍ୟାଳୟ ଏକ ମନ୍ଦିର, ଏଠାରେ ପିଲାଙ୍କୁ ସୁବିଚାର, ଶିକ୍ଷା, ଜ୍ଞାନ ପ୍ରଦାନ କରାଯାଉଥିବା ବେଳେ ଏ ସବୁ ପାଇଁ ଏକ ସୁସ୍ଥ ଓ ମନରୋମ ପରିବେଶର ଆବଶ୍ୟକତା ରହିଥାଏ । ଯାହାକି ମାଙ୍ଗିପାଲ୍ଲି ବିଦ୍ୟାଳୟରେ ସ୍ପଷ୍ଟ ବାରି ହୋଇ ପଡୁଛି ।

Leave A Reply

Your email address will not be published.