୨୦୨୦ରେ ଆସିଛି ୯୬୫ ଭୂକମ୍ପ
ନୂଆଦିଲ୍ଲୀ: ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭୂକମ୍ପ ହେଉଛି ଅନ୍ୟତମ । ଏହାର ତୀବ୍ରତା ଯେତେ ଅଧିକ ହୁଏ କ୍ଷୟକ୍ଷତି ପରିମାଣ ସେତିକି ବଢ଼ିଥାଏ । ତେବେ ସବୁବେଳେ ସମାନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇନଥାଏ । କେତେବେଳେ ଏହାର ତୀବ୍ରତା କମ୍ ଥାଏ ତ ଆଉ କେତେବେଳେ ଅଧିକ ରହିଥାଏ । ୨୦୨୦ରେ ଦେଶରେ ମୋଟ ୯୬୫ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ପ୍ରତିଦିନ ହିସାବରେ ଦେଖିଲେ ଦୈନିକ ୨/୩ ଥର ଭୂକମ୍ପନ ହୋଇଥିବା ନ୍ୟାସନାଲ ସେଣ୍ଟର ଅଫ ସେସିମୋଲୋଜି (ଏନ୍ସିଏସ୍) ତରଫରୁ ସୂଚନା ଦିଆଯାଇଛି । ଏନ୍ସିଏସ୍ ପକ୍ଷରୁ ଭୂବିଜ୍ଞାନ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ୯୬୫ ଭୂକମ୍ପର ତୀବ୍ରତା ୨ ଏବଂ ତା’ଠାରୁ ଅଧିକ ରହିଥିଲା । ସେଥିରୁ ୧୩ଟି ଦିଲ୍ଲୀ-ଏନ୍ସିଆର ଅଞ୍ଚଳରେ ଅନୁଭୂତ ହୋଇଛି । ତେବେ ଗତବର୍ଷ ଜୁଲାଇ ୨୨ରେ ଅନୁଭୂତ ହୋଇଥିବା ଭୂମିକମ୍ପ ଅଧିକ ଶକ୍ତିଶାଳୀ ରହିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪
ରହିଥିଲା । ଏହାର କେନ୍ଦ୍ରସ୍ଥଳ ଥିଲା ଚୀନର ସିଜାଙ୍ଗ ଅଞ୍ଚଳରେ ।
ଏହାବ୍ୟତୀତ ୨ଟି ଭୂକମ୍ପର ତୀବ୍ରତା ୬ ରହିଥିଲାବେଳେ ୫ରୁ ୬ ତୀବ୍ରତା ମଧ୍ୟରେ ୨୫ ଭୂକମ୍ପ ଅନୁଭୂତ ହୋଇଥିଲା । ୩ରୁ ୪ ତୀବ୍ରତା ମଧ୍ୟରେ ୩୮୮ ଏବଂ ୨ରୁ ୩ ତୀବ୍ରତା ମଧ୍ୟରେ ୧୦୮ ଭୂକମ୍ପ ହୋଇଥିଲା । ଭୂବିଜ୍ଞାନୀମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ପୃଥିବୀ ପୃଷ୍ଠର ଟେକ୍ଟୋନିକ୍ ପ୍ଲେଟ୍ ଖସିପାରେ ଲାଗିଛି । ଯେଉଁ କାରଣରୁ ଏତେ ମାତ୍ରାରେ ଭୂମିକମ୍ପ ଆସୁଛି । ଅନ୍ୟପକ୍ଷରେ ଅନେକ ସମୟରେ ଦୁଇଟି ଟେକ୍ଟୋନିକ୍ ପ୍ଲେଟ ମଧ୍ୟରେ ସୃଷ୍ଟି ହେଉଥିବା ଗ୍ୟାସ୍ ଅଥବା ଚାପ ଯେତେବେଳେ ରିଲିଜ୍ ହୁଏ, ସେତେବେଳେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥାଏ । ଖରାଦିନେ ଏହା ଅଧିକ ଦେଖିବାକୁ ମିଳିଥାଏ । କେନ୍ଦ୍ର ଭୂବିଜ୍ଞାନ ମବୀ ଡା. ହର୍ଷବର୍ଦ୍ଧନ କହିଛନ୍ତି ଯେ, ନ୍ୟାସନାଲ ସେସିମୋଲୋଜିକାଲ ନେଟୱର୍କ ୨୦୨୧-୨୨ରେ ୩୫ଟି ଫିଲ୍ଡଷ୍ଟେସନ ଲଗାଇବାକୁ ଯୋଜନା କରିଛି ।
ଏହା ସହିତ ଦେଶରେ ମୋଟ ୧୫୦ ଭୂକମ୍ପ ଷ୍ଟେଶନ ହୋଇଯିବ, ଯେଉଁଗୁଡ଼ିକ ପୃଥିବୀ ପୃଷ୍ଠରେ ଘଟୁଥିବା ଅସ୍ଥିରତା ସମ୍ପର୍କରେ ସୂଚନା ଦେବ । ହର୍ଷବର୍ଦ୍ଧନଙ୍କ କହିବା ଅନୁସାରେ, ଦେଶକୁ ୪ଟି ଭୂକମ୍ପ ଜୋନରେ ବଣ୍ଟନ କରାଯାଇଛି । ସେଗୁଡ଼ିକ ହେଉଛି ଜୋନ-୨, ଜୋନ-୩, ଜୋନ-୪ ଏବଂ ଜୋନ୍-୫ । ସବୁଠୁ ଅଧିକ ଭୂକମ୍ପ ସୃଷ୍ଟି ହେଉଥିବା ଅଞ୍ଚଳକୁ ଜୋନ-୫ରେ ସାମିଲ କରାଯାଇଛି । ସେଗୁଡ଼ିକ ମଧ୍ୟରେ କାଶ୍ମୀର ଘାଟିର ଅଂଶ, ହିମାଚଳ ପ୍ରଦେଶର ପଶ୍ଚିମ ଭାଗ, ଉତ୍ତରାଖଣ୍ଡର ପୂର୍ବ ଭାଗ, ଗୁଜରାଟର କଚ୍ଛ, ଉତ୍ତର ବିହାର, ସମସ୍ତ ଉତ୍ତର-ପୂର୍ବ ରାଜ୍ୟ ଏବଂ ଆଣ୍ଡାମାନ-ନିକୋବର ରହିଛି ।
ଅନ୍ୟପଟେ ଜୋନ-୪ରେ ଲଦାଖ, ଜାମ୍ମୁ-କାଶ୍ମୀରର କିଛି ଅଂଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ, ହରିୟାଣା ଓ ପଞ୍ଜାବର କିଛି ଅଂଶ, ଦିଲ୍ଲୀ, ସିକ୍କିମ, ଉତ୍ତରପ୍ରଦେଶର ଉତ୍ତର ଭାଗ, ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଶ, ଗୁଜରାଟ ଏବଂ ମହାରାଷ୍ଟ୍ରର ପଶ୍ଚିମ ଅଂଶ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଅନ୍ତର୍ଭୁକ୍ତ । ଅନ୍ୟପଟେ ଜୋନ-୩ରେ କେରଳ, ଲାକ୍ଷାଦ୍ୱୀପ, ଉତ୍ତର ପ୍ରଦେଶର ତଳିଆ ଅଞ୍ଚଳ, ଗୁଜରାଟ-ପଞ୍ଜାବର କିଛି ଅଂଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ଣ୍ଣାଟକ ଥିବାବେଳେ ଜୋନ-୨ ତଥା ସବୁଠୁ କମ୍ ଭୂକମ୍ପ ଅନୂଭତ ଅଞ୍ଚଳରେ କିଛି ଛୋଟ ଛୋଟ ଅଞ୍ଚଳ ରହିଛି ।