ବନ୍ଧୁକ ଦେଖାଇ ଲୋକଙ୍କୁ ହତ୍ୟା ଧମକ, ଭିଡିଓ ଭାଇରାଲ୍: ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍, ଭୟଭୀତ ଅବସ୍ଥାରେ ଜନସାଧାରଣ

234

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ବଜାରରେ ୨ ଜଣ ଅସାମାଜିକ ଯୁବକ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବାର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିଥିଲେ ମଧ୍ୟ  ସ୍ଥାନୀୟ ପୋଲିସ ପ୍ରଶାସନର ନିରବତା ନେଇ ଜନସାଧାରଣରେ ଭୟ ସୃଷ୍ଟି ହେଉଛି । ୨ଜଣ ଯୁବକ ଜଣେ ଘସିପୁରା ଥାନା ଖାଲପାଳ ଗ୍ରାମର ଅନିଲ ଜେନା ଓ ଅନ୍ୟ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଜନିଦାପାଳ ଗ୍ରାମର ବାପୁଜୀ ମାଝୀ ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବ୍ରାହ୍ମଣୀପାଳ ବଜାରର ମା ତାରିଣୀ ହୋଟେଲରେ ଗତ ୭ ତାରିଖ ଦିନ ୧ଟା ୩୦ ମିନିଟ୍ ସମୟରେ ଉକ୍ତ ଦୁଇ ଯୁବକ ବୁଲେଟ୍ ଯୋଗେ ଆସି ହୋଟେଲ ଭିତରେ ଲୋକ ଖାଉଥିବା ସମୟରେ ଗାଡ଼ି ଭିତରକୁ ପୁରାଇଥିଲେ । ପରେ ହୋଟେଲ ମାଲିକ ମୁନା ମହାନ୍ତି ଗାଡ଼ିଟିକୁ ହୋଟେଲ ବାହାରକୁ ବାହାର କରାଇଥିଲେ । ପରେ ଖାଦ୍ୟ ଅଡର ଦେଇ ବନ୍ଧୁକ ଦେଖାଇ ଟ୍ରକ୍ ମାଲିକ ନରତ୍ତମ ଜେନା (ନଚ୍ଛୁ ଭାଇ)ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସହ ଦାଦାଗିରି କରି ପଇସା ନଦେଇ ଖାଦ୍ୟ ନେଇ ପଳାଇଥିଲେ । ପୂର୍ବରୁ ଅନେକ ଥର ଏହିଭଳି ବ୍ରାହ୍ମଣୀପାଳ ଅଞ୍ଚଳରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଯାଉଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନର ନିରବତାକୁ ନେଇ ଜନସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ଲୋକଙ୍କ ଅଭିଯୋଗ ଓ ହୋଟେଲରୁ ମିଳିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଥାନା ଅଧିକାରିଣୀଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରାଯାଇଥିଲା । ହେଲେ ଅଧିକାରିଣୀ ସିଧାସଳଖ ପ୍ରତିକ୍ରିୟା ଦେବା ପାଇଁ ମନା କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୋଗକାରୀ ଭୟଭୀତ ହୋଇ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ଜଣାପଡ଼ିଛି । ବାରମ୍ବାର ଏମିତି ଘଟଣା ଦେଖିବାକୁ ମିଳୁଥିଲେ ମଧ୍ୟ ଦୈତାରୀ ପୋଲିସ ଏନେଇ  କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ବ୍ରାହ୍ମଣୀପାଳ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଘଟଣା ପରେ ସାଧାରଣ ଲୋକ ଭୟଭୀତ ହୋଇପଡିଛନ୍ତି । ଏପରି ସ୍ଥିତିରେ ଖବର ପ୍ରସାରଣ ପରେ ପୋଲିସ ପ୍ରଶାସନ ଉକ୍ତ ଅସାମାଜିକ ଯୁବକ ପ୍ରତି କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.