ପାର୍ଶଲ ଭ୍ୟାନ୍ ଧକ୍କାରେ ଦୁଇ ହାତୀଙ୍କ ଜୀବନ ଗଲା

223
ରାଉରକେଲା: ରାଉରକେଲା ନିକଟବର୍ତୀ ମହୀପାଣି ନିକଟରେ ଗତରାତିରେ ଏକ ରେଳବାଇ ପାର୍ଶଲ ଭ୍ୟାନ ରେଳ ଲାଇନ ଦେଇ ମହୀପାଣି ଅତିକ୍ରମ କରୁଥିବା ବେଳେ ସେହିଠାରେ ରେଳ ଧାରଣା ପାରି ହେଉଥିବା  ହାତୀ ପଲଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ମାଈ ହାତୀଙ୍କର ଜୀବନ ଯାଇଛି । ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ମହୀପାଣି ଅଂଚଳରେ ନିୟମିତ ରେଳ ଧାରଣା ଅତିକ୍ରମ କରୁଥିବା ହାତୀ ପଲ ଗତକାଲି ରାତିରେ ମୁମ୍ବାଇ-ହାଉଡା ଲାଇନକୁ ଅତିକ୍ରମ କରୁଥିଲେ । ତେବେ ସେହି ଲାଇନରେ ଯାଉଥିବା ଏକ ପାର୍ଶଲ ଭ୍ୟାନ ଏହି ହାତୀପଲଙ୍କୁ ଧକ୍କା ଦେବାରୁ ଗୋଟିଏ ହାତୀ ରେଳ ଧାରଣାରେ ଖଣ୍ଡ ବିଖଣ୍ଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଟି ଧାରଣ ବାହାରେ ପଡି ପ୍ରାଣ ହରାଇଛି । ତେବେ ଏହି ଖବର ପାଇ ବନ୍ଧମୁଣ୍ଡା ରେଳବାଇ ଅଧିକାରୀ ମାନେ ସେଠାରେ ପହଁଚି ହାତୀ ମାନଙ୍କ ମୃତଦେହ ଉଦ୍ଧାର ଲାଗି ବ୍ୟବସ୍ଥା କରିଥିବା ବେଳେ ବିଶ୍ରା ରେଞ୍ଜର ଅଧିକାରୀ ମାନେ ସେଠାରେ ପହଁଚିଛନ୍ତି । ଏଭଳି ଦୁର୍ଘଟଣା ଯୋଗୁଁ ସେଠାରେ ରେଳ ଧାରଣରୁ ପାର୍ଶଲ ଭ୍ୟାନ ମଧ୍ୟ ଲାଇନ୍ୟୁତ ହୋଇଥିବା ଜଣାପଡିଛି । କେତେବେଳେ ମଣିଷ ହାତୀକୁ ଏହି ଜିଲ୍ଲାରେ ମାରୁଛି ତ ଆଉ କେତେବେଳେ ହାତୀ ମଣିଷକୁ ମାରୁଛି । ପୁଣି ରେଳଧାରଣାରେ ମଧ୍ୟ ଏହି ହାତୀ ମାନଙ୍କର ଅକାରଣରେ ଜୀବନ ଯାଉଛି । ଏହା ପୂର୍ବରୁ ରାଜଗାଙ୍ଗପୁର ଅଂଚଳରେ ମଧ୍ୟ ଏହିଭଳି କିଛି ହାତୀଙ୍କର ଜୀବନ ଯାଇଥିଲା । ଫଳରେ ଜଙ୍ଗଲୀ ହାତୀ ମାନଙ୍କର ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।
ଅନ୍ୟପକ୍ଷରେ ହାତୀ ମାନଙ୍କ ଚଳପ୍ରଚଳ ଅଂଚଳରେ ରେଳ ଚଳାଚଳକୁ ସଠିକ୍ ଧ୍ୟାନ ଦିଆଯାଉନଥିବାରୁ ଏଭଳି ଦୁର୍ଘଟଣା ବଢିବାରେ ଲାଗିଥିବା କୁହାଯାଉଛି ।
Leave A Reply

Your email address will not be published.